କରୋନା କବଳରେ ମାଓନେତା ହିଡମା । ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୁଲିସ ।

186

କନକ ବ୍ୟୁରୋ: ମାଓ ସଙ୍ଗଠନକୁ ଦୋହଲାଇ ଦେଇଛି କୋରୋନା । ଅତ୍ୟାଧୁନିକ ଅସ୍ତ୍ର ଧରି ଘଞ୍ଚ ଜଙ୍ଗଲରେ ସୁରକ୍ଷା କର୍ମୀ ଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲାଲବାହିନୀ ଏବେ ଭୁତାଣୁ ଆଗରେ ମୁଣ୍ଡ ନୁଆଇଛି । ଏପରି କି ଟପ ମାଓନେତା ହିଡମା ଏବେ କରୋନା ଆକ୍ରାନ୍ତ ଥିବା ଗୋଇନ୍ଦା ତଥ୍ୟ ମିଳିଛି ।  ଜଙ୍ଗଲରେ ଥିବା ହିଡମାକୁ ଏବେ ଔଷଧର ଆବଶ୍ୟକତା ଥିବାବେଳେ ଆତ୍ମସମର୍ପଣ କରିବାକୁ ଅପିଲ କରିଛି ବିଜାପୁର ପୁଲିସ । ହିଡମା ଆତ୍ମସମର୍ପଣ କଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ପୁଲିସ କହିଛି ।

କେବଳ ହିଡମା କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା ନୁହେଁ, ମାଓ ସଂଗଠନର ଦୁଇ ଜଣ ବରିଷ୍ଠ କ୍ୟାଡରଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ସେନଟ୍ରାଲ କମିଟି ସଦସ୍ୟ ତଥା ଛତିଶଗଡ ମାଓବାଦୀ ରାଜ୍ୟ କମିଟିର ମୁଖ୍ୟ ହରିଭୁଷଣ, ଗତ ବୁଧବାର କରୋନାରେ ପ୍ରାଣ ହରାଇ ଥିବା ଜଣାପଡିଛି । ସେହିପରି ଡିଭିନାଲ କମିଟି ସଦସ୍ୟ ଭାରତୀ ଅକ୍କା ମଧ୍ୟ କୋଭିଡରେ ପ୍ରାଣ ହରାଇ ଥିବା ସ୍ପଷ୍ଟ କରିଛି ଖୋଦ ମାଓ ସଙ୍ଗଠନ । ଏଥିସହ ମାଓ କମାଣ୍ଡର ନନ୍ଦୁ, ସୋନୁ, ଜୟମାନ, ଦେବେ, ଏବଂ ଡିଭିସି ସଦସ୍ୟ ବିନୋଦ, ରାଜେଶ, ମଧ୍ୟ ଏବେ କୋରୋନା ଆକ୍ରାନ୍ତ ଥିବା ଜଣା ପଡିଛି ।