ନରସିଂହପୁର ଜଙ୍ଗଲରେ ମାଓବାଦୀ !

50

 କନକ ବ୍ୟୁରୋ : କଟକ ଜିଲ୍ଲା ଆଠଗଡ ନରସିଂହପୁର ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ । ପ୍ରାୟ ୫୦ରୁ ଅଧିକ ସନ୍ଦିଗ୍ଧ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା । ହାତୀବାରି ଅଂଚଳରେ ୧୫ରୁ ୨୦ ସନ୍ଦିଗ୍ଧ ମହିଳା ଚଳପ୍ରଚଳକରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ ବୋଲି ଡିଏସପି ପ୍ରକାଶ ଚନ୍ଦ୍ର ପାଟିଲ କହିଛନ୍ତି । ଏମାନଙ୍କୁ ଧରିବା ଲାଗି ପୋଲିସ ଗତକାଲି ରାତିରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏଥିରେ ଏକ ପ୍ଲାଟୁନ ସିଆରପିଏଫ,ଏକ ପ୍ଲାଟୁନ ଆଇଆରବି ନିୟୋଜିତ ହୋଇଛନ୍ତି । ତେବେ ବର୍ତମାନ ପର୍ଯ୍ୟନ୍ତ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇନାହାନ୍ତି କିମ୍ବା କୌଣସି ମାଓସାମଗ୍ରୀ ଜବତ ହୋଇନାହିଁ । ନରସିଂହପୁର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

ସେପଟେ ପୋଲିସ ଡିଜି ଆରପି ଶର୍ମା କହିଛନ୍ତି ଛତିଶଗଡରୁ କିଛି ମାଓବାଦୀ କଟକ,ଅନଗୁଳ ଅଂଚଳକୁ ଆସିଛନ୍ତି । ସେମାନଙ୍କୁ ଧରିବା ପାଇଁ ସର୍ଚ ଅପରେସନ ଚାଲିଛି । ଆବଶ୍ୟକ ହେଲେ ଘଟଣାସ୍ଥଳକୁ ଅଧିକ ସୁରକ୍ଷାକର୍ମୀ ପଠାଯିବ ବୋଲି ସେ କହିଛନ୍ତି । ରାଜଧାନୀର ଠାରୁ ୫୦ କିଲୋମିଟର ପରିଧି ଭିତରୁ ଆସି ମାଓବାଦୀମାନେ ରହିବା କେବଳ ଜିଲ୍ଲା ପୋଲିସ ପାଇଁ ନୁହେଁ, ବରଂ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ନରସିଂହପୁର ଜଙ୍ଗଲକୁ ମାଓବାଦୀ ମାନେ କିପରି ନିଜ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ବୋଲି ଭାବିଲେ? ନିକଟରେ କିଛି ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ କି ମାଓବାଦୀ ?

ଏଥିରୁ ସ୍ପଷ୍ଟ ଜଣାପଡୁଛି ନରସିଂହପୁର ଅଂଚଳଳରେ ମାଓସଂଗଠନ ମଧ୍ୟ ସୁଦୃଢ ରହିଛି । କଟକ ଜିଲ୍ଲା ପୋଲିସ୍ ଅଚିନ୍ତା ନିଦରେ ଶୋଇଥିବା ବେଳେ ମାଓବାଦୀମାନେ ଖୋଲା ଆଲୁଅରେ ନିଜ ସଂଗଠନକୁ ମଜବୁତ କରିବାରେ ଲାଗିପଡିଛନ୍ତି ।