ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ମିଳିଲାନି ସାକ୍ଷ୍ୟପ୍ରମାଣ । ୯ଟି ମାମଲାରେ ହେଲେ ଦୋଷମୁକ୍ତ ।

270

କନକ ବ୍ୟୁରୋ : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୯ଟି ମାମଲାରେ ମିଳିଛି କ୍ଲିନଚିଟ୍ । ମାଓନେତା ସଚ୍ୟସାଚୀ ପଣ୍ଡା ଗଜପତି ଜିଲ୍ଲାର ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୯ଟି ମୋକଦ୍ଦମାରେ ସୋମବାର ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ସିଜେଏମ କୋର୍ଟର ମୁଖ୍ୟ ବିଚାରପତି ଏମ ଈଶ୍ୱର ରାଓ ୯ଟି ମୋକଦ୍ଦମାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବ ଦର୍ଶାଇ ଦୋଷମୁକ୍ତ କରିଛନ୍ତି । ବାରମ୍ବାର ନୋଟିସ ସତ୍ତ୍ୱେ କେହି ହେଲେ ସରକାରୀ ସାକ୍ଷ୍ୟ ହାଜର ହୋଇନଥିବାରୁ ଶେଷରେ ବିଚାରପତି ମାଓନେତା ସଚ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ୯ଟି ମୋକଦ୍ଦମାରେ ଦୋଷ ମୁକ୍ତ କରିଥିବା ନେଇ ଓକିଲ ସ୍ୱରପ କୁମାର ପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ସଂପର୍କରେ ଶ୍ରୀ ପାଳ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ନାମରେ ମୋଟ ୪୪ଟି ମୋକଦ୍ଦମା ଦାୟର ହୋଇଥିଲା । ପୂର୍ବରୁ ଦୁଇଟି ମୋକଦ୍ଦମାରେ ଦୋଷ ମୁକ୍ତ ହୋଇଥିବା ବେଳେ ଆଜି ୧୯୯୭ ମସିହାରୁ ୨୦୦୩ ପର୍ଯ୍ୟନ୍ତ ଅଡ଼ବା ଓ ମୋହନା ପୁଲିସ ଥାନାରେ ଦାୟର ହୋଇଥିବା ୯ଟି ମୋକଦ୍ଦମା ମୁଖ୍ୟ ବିଚାରଳୟ କୋର୍ଟରେ ଚାଲିଥିଲା ।

କୌଣସି ସାକ୍ଷୀ ମାଓନେତା ସବ୍ୟସାଚୀଙ୍କ ବିରୋଧରେ କିଛି କହିନଥିବା ବେଳେ ଚିହ୍ନଟ ମଧ୍ୟ କରିପାରିନଥିବାରୁ ମାନ୍ୟବର ବିଚାରପତି ମାଝିଗୁଡ଼ା, ମାଦ୍ରାବାଜୁ, ମାଣିବେରା ଘଟଣା ସମେତ ୯ଟି ମୋକଦ୍ଦମାରେ ଦୋଷମୁକ୍ତ କରିଛନ୍ତି । ତାଙ୍କ ବିରୋଧରେ ଏବେ ଆଉ ୩୩ଟି ମୋକଦ୍ଦମା ଚାଲୁ ରହିଛି ବୋଲି ତାଙ୍କ ଓକିଲ ଶ୍ରୀ ପାଳ ପ୍ରକାଶ କରିଛନ୍ତି । ଆଜି କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପାରଳାଖେମୁଣି କୋର୍ଟକୁ ଅଣାଯାଇ ହାଜର କରିଥିଲା ।