ରାଜ୍ୟର ଆଉ ୫ ଜିଲ୍ଲାରୁ ପଛ ଘୁଞ୍ଚା ଦେଲେ ମାଓବାଦୀ । ମାଓ ନକ୍ସାରେ ନାହିଁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ । ଡିଜିପି କହିଲେ, ଓଡିଶାକୁ ମାଓମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ଓଡିଶା ପୋଲିସ, ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଦେଲେ ଆହ୍ୱାନ ।

196

କନକ ବ୍ୟୁରୋ: ମାଓବାଦୀ ମୁକ୍ତ ଅଂଚଳ ହେଲା ଓଡିଶାର ଆଉ ୫ ଜିଲ୍ଲା । ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡକୁ ମାଓ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହାସହ ସୁରକ୍ଷା ସମ୍ପର୍କିତ ଖର୍ଚ, ଏସଆରଇ ତାଲିକାରୁ ଏହି ଜିଲ୍ଲା ଗୁଡିକୁ ବାଦ ଦିଆଯାଇଛି । ରାଜ୍ୟ ସରକାର ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ଡିଜିପି କହିଛନ୍ତି, ଓଡିଶାକୁ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ପୁଲିସ ପ୍ରତିଶ୍ରୁତିବଦ୍ଧ ।

ତେବେ ବର୍ତମାନ ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ମାଓ ମୁକ୍ତ ହୋଇପାରିଛି । ୨ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିଛି । ପୂର୍ବରୁ ୨୦୧୮ ଏପ୍ରିଲରେ ୬ ଜିଲ୍ଲା ଯାଜପୁର, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ମାଓମୁକ୍ତ ଅଂଚଳ ଘୋଷିତ ହୋଇସାରିଛି । ଏବେ ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ।

ମାଓବାଦୀଙ୍କ ନକ୍ସା ଭିତରେ ରହିଛି, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା, ରାୟଗଡା ମାଓ ଗତିବିଧି ଥିବା ଡିଜିପି ଅଭୟ କହିଛନ୍ତି । ଆଉ ସବୁଠାରୁ ବଡ଼କଥା ହେଲା, ସେପଟେ ଦୀର୍ଘ ଦିନ ହେଲା ସମ୍ବଲପୁର ଜିଲ୍ଲାରେ ମାଓବାଦୀ ଗତିବିଧି ନାହିଁ କି ମାଓବାଦୀଙ୍କ ରହଣି ନଥିବା ଦାବି କରିଛନ୍ତି ସମ୍ବଲପୁର ଏସପି ।