ଲାଲଗଡରେ ଲାଲବାହିନୀର ଲଙ୍କାକାଣ୍ଡ । ଭାଙ୍ଗିଦେଲେ ପଂଚାୟତ କାର୍ଯ୍ୟାଳୟ । ପୋଡି ଦେଲେ ଅଫିସ କାଗଜପତ୍ର

67

କନକ ବ୍ୟୁରୋ: ନିର୍ବାଚନ ସରୁ ସରୁ ପୁଣି ମାତିଲେଣି ମାଓବାଦୀ । ମାଲକାନଗିରିରେ ଲାଲବାହିନୀର ତାଣ୍ଡବ । ପଂଚାୟତ କାର୍ଯ୍ୟାଳୟ ଉଡାଇଲେ ମାଓବାଦୀ । ମାଥିଲି ଥାନା ଟେମୁରପାଲି ପଂଚାୟତ କାର୍ଯ୍ୟାଳୟକୁ ମାଓବାଦୀମାନେ ଉଡାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୩୦ରୁ ଅଧିକ ମାଓବାଦୀ ଏକାଠି ହୋଇ ପଂଚାୟତ କାର୍ଯ୍ୟାଳୟକୁ ଖୋଳି ବିସ୍ଫୋରଣରେ ଉଡାଇ ଦେଇଥିବା ଜଣଶପଡିଛି । ଛତିଶଗଡ ଦରଭା ଡିଭିଜନର ମାଓବାଦୀମାନେ ଏହି ବିସ୍ଫୋରଣ କରିଥିବା ସୂଚନା ରହିଛି ।

ଲାଲଗଡରେ ଲାଲବାହିନୀର ଲଙ୍କାକାଣ୍ଡ । ମାଲକାନଗିରି ମାଥିଲି ଅଂଚଳରେ ହିଂସାକାଣ୍ଡ ଘଟାଇ ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବା ସହ ପୁଲିସକୁ ଖୋଲା ଚ୍ୟାଲେଂଜ କରୁଛନ୍ତି । ମାସକ ଭିତରେ ୩ଟି ହିଂସାକାଣ୍ଡ ଭିଆଇ ଥିବା ନକ୍ସଲ ଶୁକ୍ରବାର ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୃପାଲି ପଂଚାୟତ ଅଫିସରେ ପଶିଥିଲେ । ଅଫିସର କାଂଥକୁ ଖୋଳି ଭାଙ୍ଗିବା ସହ ଅଫିସର ଭିତରେ ଥିବା ସବୁ ନଥିପତ୍ରକୁ ପୋଡି ଦେଇଛନ୍ତି ନକ୍ସଲ । ଏହାସହ ଏନେଇ ପୁଲିସକୁ ନଜଣାଇବା ସହ ଗାଁ ଛାଡି ନଯିବାକୁ ଧମକ ଦେଇ ଏକ ପୋଷ୍ଟର ଲଗାଇ ଚାଲି ଯାଇଛନ୍ତି ମାଓବାଦୀ ।

ଛତିଶଗଡ ଦରଭା ଡିଭିଜନର ମାଓ ସଂଗଠନ ବେଶ କିଛି ଦିନ ହେବ ମାଲକାନଗିରି ମାଥିଲିରେ ସକ୍ରିସ ଅଛି । ଗତ ୧୧ ତାରିଖରେ ମାଓବାଦୀମାନେ ଏସଓଜି ଯବାନଙ୍କୁ ଟାର୍ଗେଟ କରିଥିଲେ । ମାଥିଲି ଗୁରୁପଦର ଘାଟିରେ ଯବାନମାନେ କମ୍ବି ଅପରେସନ୍ କରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ନକ୍ସଲ । ଏଥିରେ ଜଣେ ଗ୍ରାମାବାସୀ ଓ ୨ ଜଣ ଯବାନ ଆହତ ହୋଇଥିଲେ । ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ମେ’ ୧୩ ତାରିଖରେ ସେହି ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ସପ୍ତଧାରା ଅଂଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ । ଆଉ ଏବେ ସିଧାସଳଖ ଭାବେ ପଂଚାୟତ ଅଫିସକୁ ଉଡାଇ ଦେଇ ପୁଲିସର ମୁଣ୍ଡ ବିନ୍ଧା ବଢାଇ ଦେଇଛି ଲାଲ ସଂଗଠନ । ତେବେ ମାଓବାଦୀଙ୍କ ହିଂସାକାଣ୍ଡର ବର୍ବରତା ମାଥିଲି ଅଂଚଳରେ ସୀମା ଟପି ଯାଇଛି । ମାଓ ହିଂସା ଦେଖି ଅଂଚଳବାସୀ ଆତଙ୍କରେ ଥିବା ବେଳେ ଗାଁରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି ।