କନକ ବ୍ୟୁରୋ : ମାଓବାଦୀଙ୍କ ଗୁଳିରେ ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କର ମୃତ୍ୟୁ ଘଟଣାର ୧୦ ଦିନ ନଯାଉଣୁ ପୁଣି କନ୍ଧମାଳ ଜିଲ୍ଲାରେ ସେମାନେ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଡମାଙ୍ଗପଦର ଗାଁରେ ଗତକାଲି ରାତିରେ ଜଣେ ଠିକାଦାରଙ୍କୁ ଘରୁ ଡାକି ନେଇ ପୁଲିସ ଇନଫର୍ମର ସନ୍ଦେହେର ମାଓବାଦୀ ମାନେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କୈଳାସ ଦିଗାଲ। ଏହି ଘଟଣା ଡମାଙ୍ଗପଦର ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସହ ମାଓବାଦୀ ପୁଣି ସେମାନଙ୍କ ସ୍ଥିତି ଜାହିର୍ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କେକେବିଏନ ମାଓ ସଂଗଠନର ୧୫ରୁ ୨୦ ଜଣ ମାଓବାଦୀ ଗତକାଲି ରାତିରେ କୈଳାସଙ୍କ ଘର ପାଖକୁ ଆସି କବାଟ ପିଟି ଥିଲେ। କୈଳାସ ଉଠି କବାଟ ଖୋଲିବା ପରେ ତାଙ୍କୁ ମାଓବାଦୀ ମାନେ କିଛି ଦୂରକୁ ଡାକି ନେଇ ଅତି ନିକଟରୁ ଗୁଳି କରିବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ପାଖରେ ପୋଷ୍ଟର ପକାଇ ମାଓବାଦୀ ସେଠାରୁ ପଳାଇଥିଲେ। ସେପଟେ ପରିବାର ଲୋକେ ସାରା ରାତି କୈଳାସଙ୍କୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରି ପାରି ନଥିଲେ।
ଘର ଠାରୁ ୨ଶହ ମିଟର ଦୂର ଜଙ୍ଗଲ ନିକଟରେ କୈଳାସଙ୍କ ଗୁଳିବିଦ୍ଧ ଶବ ମିଳିଥିଲା। ‘ମାଓବାଦୀ ସଂଗଠନ ସହ ବିଶ୍ବାସଘାତକତା କରି ପୁଲିସକୁ ସହଯୋଗ କରୁଥିବାରୁ କୈଳାସକୁ ମୃତ୍ୟୁଦଣ୍ଡ ଦିଆଗଲା। ଏହା ପରେ ଟାର୍ଗେଟରେ ଜଣେ ସରପଞ୍ଚ ଓ ଜଣେ ୱାର୍ଡମେମ୍ବର ଅଛନ୍ତି’ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ତେବେ କେଉଁ ପଞ୍ଚାୟତର ସରପଞ୍ଚ ଓ ୱାର୍ଡମେମ୍ବର ଟାର୍ଗେଟରେ ଅଛନ୍ତି ଏହି କଥା ପୋଷ୍ଟରରେ ସ୍ପଷ୍ଟ ଉଲ୍ଲେଖ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/01-1.jpg)