ଛତିଶଗଡ ଅରନପୁର ଜଙ୍ଗଲରେ ମାଓ ଆକ୍ରମଣ। ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ।

408

କନକ ବ୍ୟୁରୋ: ଅରନପୁର ଜଙ୍ଗଲରେ ଲୁଚିଥିବା ମାଓବାଦୀଙ୍କ ଧରିବା ପାଇଁ, ସର୍ଚ୍ଚ ଅପରେସନ ସାରି ଦାନ୍ତେୱାଡା ଅଭିମୁଖେ ଫେରୁଥିଲେ ଡିଆରଜି ଯବାନ । ଫେରିବା ବାଟରେ ଜଙ୍ଗଲ ରାସ୍ତାରେ, ମାଓବାଦୀ ଖଞ୍ଜିଥିବା ଆଇଇଡିର ଶକ୍ତିଶାଳୀ ବିସ୍ଫୋରଣରେ ଉଡିଯାଇଥିଲା ଯବାନ ଭର୍ତି ଗାଡି । କେହି କିଛି ବୁଝିବା ପୂର୍ବରୁ, ଗାଡିରେ ଥିବା ୧୦ ଡିଆରଜି ଯବାନ ସହିଦ ହୋଇଯାଇଛନ୍ତି । ଗାଡି ଚଳାଉଥିବା ଡ୍ରାଇଭରଙ୍କର ବି ମୃତ୍ୟୁ ହୋଇଛି ।

ବିସ୍ଫୋରଣର ଦୃଶ୍ୟ ହିଁ ବୟାନ କରୁଛି, ବିସ୍ଫୋରଣ କେତେ ପ୍ରଚଣ୍ଡ ଥିଲା । ବିସ୍ଫୋରଣ ସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗର୍ତ । ଯେଉଁ ସ୍ଥାନରେ ରାସ୍ତା ଥିଲା, ଗାଡି ଯାଉଥିଲା, ବିସ୍ଫୋରଣ ପରେ ସେଠାରେ ସୃଷ୍ଟି ହୋଇଛି ି ଗର୍ତ । ଯବାନମାନେ ଯେଉଁ ଗାଡିରେ ଯାଉଥିଲେ ସେହି ଗାଡି ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଛି ।

ନକ୍ସଲ ଆକ୍ରମଣରେ ଏତେ ସଂଖ୍ୟାରେ ଯବାନ ସହିଦ ହେବା ଖବର ସାରାଦେଶକୁ ସ୍ତବ୍ଧ କରି ଦେଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ, କେନ୍ଦ୍ର ଗୃହମନ୍ତ୍ରୀ କଥା ହୋଇଛନ୍ତି । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଛଡା ଯିବ ନାହିଁ । ନକ୍ସଲ ଆକ୍ରମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ।

ଛତିଶଗଡ ଦରଭା ଡିଭିଜନର ପୁରୁ- ହିଡିମା ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ନିପାତ କରିବା ପାଇଁ ଯାଇଥିଲେ ଡିଆରଜି ଯବାନ । କିନ୍ତୁ ଫେରିବା ବାଟରେ ଯବାନଙ୍କ ରକ୍ତରେ ହୋଲି ଖେଳିଛନ୍ତି ନକ୍ସଲ । ଛତିଶଗଡରେ ନକ୍ସଲ ଆକ୍ରମଣ ପରେ, ଓଡିଶାର ମାଲକାନଗିରି, କୋରାପୁଟ ଓ ନବରଂଗପୁର ଜିଲ୍ଲାକୁ ହାଇଆର୍ଲଟ ଜାରି କରିଛି ଗୁଇନ୍ଦା ବିଭାଗ ।