ଭୁବନେଶ୍ୱର ଏକାମ୍ର ଫାର୍ମରୁ କଟାହୋଇପାରେ ଶହ ଶହ ଗଛ । ବାଣିଜ୍ୟିକ ପ୍ରତିିଷ୍ଠାନ ପାଇଁ ୨୦ ଏକର ଜଙ୍ଗଲ ଓ ପତିତ ଜମିକୁ ସାଧାରଣ ପ୍ରଶାସନ ହାତରେ ଟେକି ଦେଲା ଉଦ୍ୟାନ କୃଷି ବିଭାଗ । ଉଠିଲା ପ୍ରଶ୍ନ, ଗଛର ମୂଲ୍ୟ କେବେ ବୁୁଝିବେ ସରକାର

243

କନକ ବ୍ୟୁରୋ : ବହୁ ପୁରୁଣା ଗଛରେ ଭରପୁର ଭୁବନେଶ୍ୱରର ଏକାମ୍ର କାନନ ଫାର୍ମର କଟାହେବ ଗଛ । ଏଠାରେ ୨୦ ଏକର ଜମି ନେଇ ବାଣିଜ୍ୟକ ପ୍ରତିଷ୍ଠାନ ଛିଡା କରିବେ ସରକାର । ଏଥିପାଇଁ ଏହି ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିଛି ଉଦ୍ୟାନ ବିଭାଗ । କେହି ଠିକ୍ ଭାବରେ ବୁଝିବା ପାଇଁ ପ୍ରସ୍ତୁତ ହେଉ ନାହାଁନ୍ତି ଯେ ଏହାଦ୍ୱାରା କେତେ ବଡ କ୍ଷତି ହେବ ।

ଦିଲ୍ଲୀ ଭଳି ଭୁବନେଶ୍ୱରର ବାୟୁମଣ୍ଡଳ ପ୍ରଦୂଷିତ ନହେବା ପଛରେ ରାଜଧାନୀରେ ଥିବା ଏହି ଭଳି ଛୋଟ ଛୋଟ ଜଙ୍ଗଲର ବଡ଼ ଭୂମିକା ରହିଛି । ଏ ହେଉଛି ଏକାମ୍ର କାନନ ଫାର୍ମ । ଏହି ଫାର୍ମରେ ୩୦-୪୦ ବର୍ଷର ଆମ୍ବ, ପଣସ, ଲିଚୁ ଭଳି ବହୁ ଗଛ ରହିଛି । କଳ୍ପନା କରନ୍ତୁ, ଯଦି ଏସବୁ ଗଛକୁ କାଟି ସଫା କରିଦିଆଯିବ ଏବଂ ଏହି ସ୍ଥାନରେ ପକ୍କା ଘରର ବାଣିଜ୍ୟିକ ପ୍ରତିଷ୍ଠାନ ତିଆରି ହେବ, ତାହେଲେ କ’ଣ ହେବ? କିନ୍ତୁ ଏହି ଆଶଙ୍କା ଏତେ ସତ ହେବାକୁ ଯାଉଛି ।

ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି ଏକାମ୍ର୍ ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟକୁ ହସ୍ତାନ୍ତର କରାଗଲା । ବାକି ୫ଏକର ୭୭୫ ଡିସିମିଲ ଜମିରେ ବିଲ୍ଡିଂ ଥିବାରୁ ଏହାକୁ ରଖିଛି ଉଦ୍ୟାନ କୃଷି ବିଭାଗ । ହସ୍ତାନ୍ତର ହୋଇଥିବା ଜାଗାରେ ସରକାର ବାଣିଜ୍ୟକ ପ୍ରତିଷ୍ଠାନ ଓ ବାସଗୃହ କରିବା ପାଇଁ ଯୋଜନା କରୁଛନ୍ତି । ସରକାରୀ ହିସାବ ଅନୁସାରେ ଏକାମ୍ର ଫାର୍ମରେ ୬୬୦ ଆମ୍ବଗଛ, ୪୫ ନଡିଆ ଗଛ, ୨ ହଜାର ସପୁରୀ , ୪୫ କାଜୁ, ୭୬ଟି ସପେଟା ୨୦୦, କଦଳୀ ଗଛ ସହ ବହୁ ପରୁଣା ଗଛ ରହିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଦିଲ୍ଲୀରେ ଗଛକୁ ବଂଚାଇବା ପାଇଁ ନୂଆ ପଲିସି ଆଣିଛନ୍ତି । ଗଛକୁ ନଷ୍ଟ ହେବାକୁ ଦିଆଯିବନି, ସେହି ଗଛକୁ ଅନ୍ୟତ୍ର ପ୍ରତିରୋପଣ କରି ଦିଲ୍ଲୀକୁ ସବୁଜ ଓ ସ୍ୱଚ୍ଛ ରଖାଯିବ ବୋଲି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସେତେବେଳେ ଓଡ଼ିଶା ସରକାରଙ୍କ ଏପରି ଅଚାନକ ନିଷ୍ପତି ସମସ୍ତଙ୍କୁ ଚକିତ କରିଛି ।