ପ୍ରବଳ ବର୍ଷାରେ ଜଳବନ୍ଦୀ ଅନେକ ରାଜ୍ୟ। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ରେ ସ୍ଥିତି ସଙ୍ଗୀନ। 

141

କନକ ବ୍ୟୁରୋ : ପ୍ରବଳ ବର୍ଷା , ବନ୍ୟା ଓ ତାର ପ୍ରଳୟଙ୍କାରୀ ରୂପ । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ  ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ଏହା ସହ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅଧିକାଂଶ ଲୋକେ । ଯେଉଁଆଡ଼େ ଦେଖିବ ପାଣି ହିଁ ପାଣି । ଘରଦ୍ୱାର, ରାସ୍ତାଘାଟ ସବୁଠି ଜଳମୟ । ଲୋକଙ୍କ ଜୀବନଯାପନ ପ୍ରଣାଳୀରେ ବାଧା ସୃଷ୍ଟି କରିଛି । ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ,ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ଭଳି ଦେଶର ୨୫ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ୨୪ ଘଂଟାରେ ୧୪ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରର ଏଭଳି ବନ୍ୟା ପରିସ୍ଥିତ ଯୋଗୁଁ ଏଯାଏଁ ମୋଟ ୮୪ ଜଣଙ୍କ ଜୀବନ ଗଲାଣି ।

ଅନ୍ୟପଟେ ତେଲେଙ୍ଗାନାରେ ଗତକାଲି ୬୮ ଦଶମିକ ୨ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଛତିଶଗଡ଼ରେ ୩୫ ଦଶମିକ ୮ ମିମି ଓ ମହାରାଷ୍ଟ୍ରରେ ୪୩ ମିମି ବର୍ଷା ରେକର୍ଡ଼ ହୋଇଛି । ବର୍ଷାରେ ବେହାଲ  ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସବୁଠୁ ସଙ୍ଗୀନ । ସବୁଆଡ଼େ କେବଳ ପାଣି ହିଁ ପାଣି । ପ୍ରବଳ ବର୍ଷା ଯୋଗୁଁ  ଠାଣେ , ପାଲଘର  ସବୁ ସ୍କୁଲ ଗୁଡ଼ିକ ବନ୍ଦ କରାଯାଇଛି । ଏହା ସହ ମୁମ୍ବାଇ ୟୁନିଭରସିଟିରେ ଆଜି ହେବାକୁ ଥିବା ପରୀକ୍ଷା ମଧ୍ୟ ବନ୍ଦ ହୋଇଛି ।