କାହିଁକି ହାରିଲା ଭାରତ ? କାରଣ ଖୋଜୁଛି ବିସିସିଆଇ, ଟିମରେ ପରିବର୍ତ୍ତନ ନେଇ ଉଠୁଛି ଦାବି

489

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଯେଉଁଭଳି ଭାବେ ଇଂଲଣ୍ଡଠୁ ହାରିଲା ତାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କ୍ରିକେଟ ପ୍ରେମୀ । ବିସିସିଆଇ ଏଭଳି ଶୋଚନୀୟ ପରାଜୟ ପଛରେ ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି । ଦଳରେ ପରିବର୍ତନ କରିବାକୁ ଦାବି କରିଛନ୍ତି ପୂର୍ବତନ କ୍ରିକେଟର । ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ଦେବା ସହ କିଛି ଖେଳାଳୀଙ୍କୁ ଖୁବଶିଘ୍ର ଅବସର ଦେବାକୁ କହିଛନ୍ତି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର । ଏଭଳି ବୟାନ ପରେ ଦଳରୁ କିଛି ଖେଳାଳୀଙ୍କ ଅବସର ନେଇ ଚର୍ଚ୍ଚା ହେଉଛି ।

 

କାହିଁକି ହାରିଲା ଭାରତ ?
-ପାୱାର ପ୍ଲେ ଓଭରରେ ଭାରତ ଅଧିକ ସ୍କୋର ନ କରିପାରିବା
– ୱିକେଟ୍ ନେବାରେ ବିଫଳ ହେବା
-ଲେଗ୍ ସ୍ପିନର ଚହଲଙ୍କୁ ଦଳରେ ସ୍ଥାନ ନମିଳିବା
– ଓପନିଂ ଯୋଡି ବଡ଼ ସ୍କୋର କରିବାରେ ଫେଲ ମାରିବା
-ବାରମ୍ବାର ଓପନର ଫେଲ ମାରିବା ସତ୍ତେ୍ୱ ପରିବର୍ତନ ନକରିବା
– ପନ୍ତ ଓ କାର୍ତିକଙ୍କ ମଧ୍ୟରୁ କାହାକୁ ଖେଳାଇବା ନେଇ ଦ୍ୱନ୍ଦ୍ୱ
-ଖେଳାଳି ଚୟନରେ ଫର୍ମରେ ଥିବା ଖେଳାଳିଙ୍କୁ ଅଣଦେଖା

ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା, କେ.ଏଲ ରାହୁଲ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଫେଲ ମାରିବା ସତ୍ୱେ ଓପନିଙ୍ଗରେ ପରିବର୍ତନ ନ କରିବାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ଆଇପିଏଲରେ ଓପନିଙ୍ଗ୍ କରିଥିବା ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କୁ ସୁଯୋଗ ଦିଆଯାଇଥିଲେ ଦଳ ଭଲ କରିପାରିଥାନ୍ତା ବୋଲି କିଛି ପୂର୍ବତନ ଖେଳାଳୀ ମତ ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୋଲିଂରେ ଭାରତର ବିଫଳତା । ଆହତ ଯଶପ୍ରତି ବୁମରା ଟିମରେ ନ ଥିବା ବେଳେ ଭାରତର ବୋଲିଂ ଆଟାକ୍ ଅତ୍ୟନ୍ତ ଦୁର୍ବଳ ଥିଲା । ୱିକେଟ ହାସଲ କରିବାରେ ଭାରତୀୟ ବୋଲର ବିଫଳ ହୋଇଥିଲେ । ଯେଉଁଥିପାଇଁ ଭାରତ ହାରିଥିବା କୁହାଯାଉଛି ।

ଟିମ ଇଣ୍ଡିଆର ଏଭଳି ପଦର୍ଶନକୁ ନେଇ କୋଚଙ୍କ ପରିବର୍ତନ କରିବାକୁ ମଧ୍ୟ ଦାବି ଉଠୁଛି । ତେବେ ଆଗାମୀ ଦିନରେ ଲିମିଟେଡ ଓଭର କ୍ରିକେଟରେ ଟିମରେ କଣ ପରିବର୍ତନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।