କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ବିଜେପି ଯେବେ କମ୍ପମାନ କରୁଥିଲା, ସେବେ ସମୁଦାୟ ପ୍ରସଙ୍ଗରୁ ଆଶ୍ଚର୍ଯ୍ୟଜନକ ଭାବେ ଦୂରେଇ ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉଁ କି ଚୁଁ କିଛି କହିନାହାନ୍ତି।

Advertisment

ଭୁବନେଶ୍ବର ବିନ୍ଦୁ ସାଗର ପ୍ରକଳ୍ପ ବିକାଶ କାର୍ଯ୍ୟକ୍ରମରେ ସାଂସଦ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିଦେଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହିତ ତାଙ୍କର ମୁହାଁମୁହିଁ ହେଲା ମଞ୍ଚରେ। ସେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣ ଚାତୁରୀରେ ପରିସ୍ଥିତିକୁ ନିୟନ୍ତ୍ରଣ କଲେ, କିନ୍ତୁ ଅପରାଜିତାଙ୍କୁ ସମର୍ଥନ ଦେଲେନି।

ପୁରୀ ଯାଇ ଐତିହ୍ୟ ପ୍ରକଳ୍ପକୁ ସଂପର୍କରେ ସାଂସଦ ଅପରାଜିତା କମ୍ପମାନ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କଲେ। ୨୪ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପୁରୀ ପରିକ୍ରମା ଯୋଜନା ପାଇଁ ସଂକଳ୍ପ ଆଣିଲେ। ଆଉ କୌଣସି ସର୍ତ୍ତ ବା ପ୍ରତିରୋଧ ନ କରି ମୁଖ୍ୟ ବିରୋଧୀ ଦଳ ବିଜେପି ଏହାକୁ ଆଖିବୁଜା ସମର୍ଥନ ଦେଲା। କେବଳ ସେତିକି ନୁହେଁ, ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ପାଦେ ଆଗକୁ ଯାଇ ପୁରୀ ଐତିହ୍ୟ ପ୍ରକଳ୍ପକୁ ସମର୍ଥନ ଦେବା ସହିତ ନିଜକୁ ପୁରୀ ବିକାଶ ପ୍ରକ୍ରିୟାରେ ଯୋଡିଲେ।

ଗୋଟିଏ ଦଳର ଗୋଟିଏ ପ୍ରସଙ୍ଗରେ ଏଭଳି ଭିନ୍ନ ଭିନ୍ନ ମତ ମନ୍ତବ୍ୟର ଉଦାହରଣ ଏତିକିରେ ସୀମିତ ନାହିଁ। ବାଇ-ଲ’ ପ୍ରସଙ୍ଗରେ ମଧ୍ୟ ବିଜେପିର ଯେତେ ନେତା, ସେତେ ମତ ସାମ୍ନାକୁ ଆସିଲା।

ଗତ କିଛି ଦିନ ଧରି ରାଜ୍ୟ ବିଜେପିରୁ ସାମ୍ନାକୁ ଆସୁଥିବା ଏସବୁ ଉଦାହରଣ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି। ପ୍ରଶ୍ନ ଉଠିଲାଣି, ବାସ୍ତବରେ ବିଜେପିରେ ଚାଲିଛି କ’ଣ? କାହା ଇଙ୍ଗିତରେ ଦଳ ପରିଚାଳିତ ହେଉଛି? ଓଡ଼ିଶା ବିକାଶ ଓ ରାଜ୍ୟ ସରକାରଙ୍କ ଭୂମିକା କ୍ଷେତ୍ରରେ କେଉଁ ନେତାଙ୍କ ମତମନ୍ତବ୍ୟକୁ ବିଜେପିର ଆଭିମୁଖ୍ୟ ବୋଲି ଧରାଯିବ? ଏହା ବିଜେପିର ଆଭ୍ୟନ୍ତରୀଣ କନ୍ଦଳର ପରିପ୍ରକାଶ ନା ଯୋଜନାବଦ୍ଧ ରଣନୀତିର ଅଂଶବିେଶଷ?

ସବୁଠାରୁ ବଡ଼ କଥା ହେଲା, ଏସବୁ ପ୍ରସଙ୍ଗରେ ନିଜେ ବିଜେପି ସଭାପତି ସମୀର ମହାନ୍ତି ପୂରା ନିରବ ଅଛନ୍ତି। ନା କାହାକୁ ରୋକୁଛନ୍ତି ନା ନିଜେ ସାମ୍ନାକୁ ଆସି ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି। ଏହା ବିଜେପିର ଶୀର୍ଷ ନେତୃତ୍ବ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ସାରିଲାଣି।

ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ଭାବନା ଅଧିକ। ଏହା ପୂର୍ବରୁ ବିଜେପିର ଏଭଳି ଆଚରଣ ଓ ଉଚ୍ଚାରଣ ସରକାରୀ ଦଳକୁ କେତେ ଉତ୍ସାହିତ କରୁଛି, ତା ଭିନ୍ନ ପ୍ରସଙ୍ଗ। କିନ୍ତୁ ରାଜନୈତିକ ମହଲ ପୂର୍ବାନୁମାନ କଲେଣି ଯେ ମୁଖ୍ୟ ବିରୋଧୀ ଦଳ ଏହାଦ୍ବାରା ସର୍ବସାଧାରଣରେ ନିଜକୁ ଦୁର୍ବଳ ଏବଂ ବିଭାଜିତ ବୋଲି ପ୍ରମାଣିତ କରୁଛନ୍ତି। ଏହା ଭୋଟ ରାଜନୀତିକୁ ସାଂଘାତିକ ଭାବେ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଗୋଟିଏ ମହଲ ମତ ରଖୁଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଦିଲ୍ଲୀ ନେତାମାନେ ଯେଉଁ ବାର୍ତ୍ତା ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି, ଓଡ଼ିଶା ଚେହେରା। ତାଙ୍କୁ ଆଗରେ ରଖି ଏବେ ଯାଏ ଦଳ ଚାଲିଛି। ସଭାପତି ଚୟନ ଠାରୁ ଆରମ୍ଭକରି ରଣନୀତି ନିର୍ଧାରଣ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କୁ ଛାଡ଼ି ବିଜେପି କୌଣସି ନିଷ୍ପତ୍ତି ନେଇନାହିଁ। ସୁତରାଂ ଧର୍ମେନ୍ଦ୍ର ଯେଉଁ ରାସ୍ତାରେ ଯାଉଛନ୍ତି, ତାହା ହେଉଛି ରାଜ୍ୟ ବିଜେପିର ମତ। ଯଦି ଏହାକୁ ବିଶ୍ବାସ କରାଯାଏ, ତେବେ ଦଳର ମତଭେଦ ପଛରେ ଆଉ କି ଉଦ୍ଦେଶ୍ୟ ରହିଛି?

ଅନ୍ୟ ଗୋଟିଏ ମତ ହେଉଛି ଯେ ଏହା ବିଜେପିର ଯୋଜନାବଦ୍ଧ ରଣନୀତି। ବିଜେପି ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ବିକାଶ ଓ ଅପରାଜିତାଙ୍କ ବିରୋଧ ରାଜନୀତିରେ ଆଗକୁ ବଢ଼ିବ। ବିଜେଡି ଯେଭଳି କିଛି କ୍ଷେତ୍ରରେ ସମର୍ଥନ କରୁଛି ଓ ରାଜ୍ୟ ରାଜନୀତିରେ ଆଗକୁ ବଢ଼ିବା ବେଳେ କେନ୍ଦ୍ରକୁ କଠୋର ସମାଲୋଚନା ପାଇଁ ପଛାଉନାହିଁ, ବିଜେପି ମଧ୍ୟ ସେହି ରାସ୍ତାରେ ଚାଲିବାକୁ ବସ୍ତୁତଃ ନିଷ୍ପତ୍ତି ନେଇଛି।

ଏହି ମହଲର ଦାବି ହେଉଛି ଯେ ପୁରୀ ମାମଲାରେ କେନ୍ଦ୍ର ସରକାର ବାଇ-ଲ’କୁ ସ୍ଥଗିତ ରଖିଛନ୍ତି। ପ୍ରତ୍ୟାହାର କରିବାକୁ ଏଯାଏ ନିର୍ଦେଶନାମା ଜାରି କରୁନାହାନ୍ତି। ଅର୍ଥାତ୍, ଯେ କୌଣସି ମୁହୂର୍ତରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିପାରେ। ବ୍ରହ୍ମେଶ୍ବର ମନ୍ଦିର ଓ ଅନନ୍ତ ବାସୁଦେବଙ୍କ ମନ୍ଦିର କ୍ଷେତ୍ରରେ ଏଯାଏ ବାଇ-ଲ’ ବଳବତ୍ତର ରହିଛି। କେବଳ ସେତିକି ନୁହେଁ, ଆଉ ଦି’ ପାଦ ଆଗକୁ ଯାଇ ଏଏସ୍‌ଆଇ ସେଠାରେ ଏକାମ୍ର ଯୋଜନାର ବିକାଶକୁ ଆଇନତଃ ବନ୍ଦ କରାଇ ଦେଇଛନ୍ତି। ପୁରୀରେ ବିକାଶ କ୍ଷେତ୍ରରେ ବିଜେପି ନିଷ୍ପତ୍ତି, ଭୁବନେଶ୍ୱର କ୍ଷେତ୍ରରେ କ’ଣ ବଦଳିଗଲା? କେନ୍ଦ୍ର ସରକାର ବିକାଶ କ୍ଷେତ୍ରରେ ଦୁଇଟି ପୃଥକ୍ କ୍ଷେତ୍ର ପାଇଁ ଅଲଗା ଅଲଗା ନିଷ୍ପତ୍ତି କେମିତି ନେଇପାରିବେ? ଯଦି ବିକାଶକୁ ପୂର୍ଣ୍ଣ ସମର୍ଥନ କରୁଛି, ତେବେ ଅପରାଜିତାଙ୍କୁ ରୋକିବା ଲାଗି କାହିଁକି କେହି ପ୍ରୟାସ କରୁନାହାନ୍ତି? ଏସବୁ ହିଁ ସୂଚାଇ ଦେଉଛି ଯେ ଉଭୟଙ୍କ ପଛରେ କେନ୍ଦ୍ରୀୟ ନେତାଙ୍କ ସବୁଜ ସଙ୍କେତ ରହିଛି।