ଦେଶର ବଡ ବଡ ଡାକ୍ତରଖାନାରୁ ଆସିଲା ଚିକିତ୍ସା ସେବାର ସାଂଘାତିକ ଚିତ୍ର । ଅନଭିଜ୍ଞ ଡାକ୍ତର ଯୋଗାଉଛନ୍ତି ଆଇସିୟୁ ସେବା, ଏମବିବିଏସ ଡାକ୍ତରଙ୍କ ଅଭାବ ପୂରଣ କରୁଛନ୍ତି ଆୟୁଷ ଡାକ୍ତର ।

478

କନକ ବ୍ୟୁରୋ : କରୋନା କାଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଆପଣଙ୍କ କୌଣସି ରୋଗୀ , କୌଣସି ଘରୋଇ ଡାକ୍ତରଖାନାରେ କରୋନା ପାଇଁ ଚିକିତ୍ସାଧୀନ ଅଛନ୍ତି କି ? ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା ସମୟରେ ଆପଣ ମୋଟା ଅଙ୍କର ଟଙ୍କା ଗଣୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ । ପ୍ରକୃତରେ ତାଙ୍କୁ ଆଇସିୟୁରେ କିଏ ଯୋଗାଉଛନ୍ତି ଚିକିତ୍ସା ସେବା ? ଆପଣ ଜାଣନ୍ତି କି ? ବର୍ତମାନ କରୋନା ସମୟରେ ଡାକ୍ତରଖାନା ଗୁଡିକରେ ଏମବିବିଏସ ଡାକ୍ତରଙ୍କ ଅଭାବ ଦେଖା ଦେଇଛି । ଆବଶ୍ୟକତା ମୁତାବକ ମିଳୁନାହାନ୍ତି ଏମବିବିଏସ ଡାକ୍ତର । ଏହି ଅଭାବ ସମୟରେ ଦେଶର ଦିଲ୍ଲୀ, ମୁମ୍ୱାଇ, ପୁନେ, ଇନ୍ଦୋର ପରି ସହରରେ ଥିବା ଘରୋଇ ଡାକ୍ତରଖାନା ଗୁଡିକରେ ବର୍ତମାନ ବହୁ ସଂଖ୍ୟାରେ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତ ଦିଆଯାଇଛି ।

ଏମବିବିଏସ ଡାକ୍ତରଙ୍କ ଠାରୁ ବହୁ କମ୍ ଦରମାରେ ଏମାନଙ୍କୁ ନିଯୁକ୍ତି ଦେଇ ରାତିରେ ଏମବିବିଏସ ଡାକ୍ତରଙ୍କ ଅନୁପସ୍ଥିତିରେ ଏମାନଙ୍କୁ ଆଇସିୟୁରେ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ କରାଯାଉଛି । ଏହା ଦ୍ୱାରା ଲାଭବାନ ହେଉଛନ୍ତି ଘରୋଇ ଡାକ୍ତରଖାନା ଗୁଡିକ । କାରଣ ଏମବିବିଏସ ଡାକ୍ତରଙ୍କ ଅପେକ୍ଷା ବହୁ କମ୍ ଦରମାରେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ହୋଇପାରୁଛି । କିନ୍ତୁ ଆୟୁଷ ଡାକ୍ତରଙ୍କ ଜରିଆରେ ରୋଗୀ ସେବା ଯୋଗାଉଥିବା ଘରୋଇ ଡାକ୍ତରଖାନା ଗୁଡିକ କିନ୍ତୁ ରୋଗୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେବାରେ କିଛି ବି ହେଳା କରୁନାହାନ୍ତି । କେବଳ ଘରୋଇ ଡାକ୍ତରଖାନା ନୁହଁନ୍ତି ବିଭିନ୍ନ କର୍ପୋରେଟ ହାଉସ ମଧ୍ୟ ଏହି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେଉଥିବା ନଜର ଆସିଛି ।

ଆୟୁଷ ଡାକ୍ତରମାନେ ଏଲୋପାଥିକ୍ ଚିକିତ୍ସାର ଆବଶ୍ୟକ ତାଲିମ ପାଇନାହାନ୍ତି । ଆଇସିୟୁ ପରି ଜରୁରୀ ସେବାର ତାଲିମ ବି ମିଳିନି ସେମାନଙ୍କୁ । ଦେଶର ବଡ ବଡ ସହର ଦିଲ୍ଲୀ, ମୁମ୍ୱାଇ, ପୁନେ, ଇନ୍ଦୋରରେ ଅନେକ ଘରୋଇ ଡାକ୍ତରଖାନାରେ ଏପରି ଦେଖିବାକୁ ମିଳିଛି । ସରକାର ଆୟୁଷ ଡାକ୍ତରଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ତାଲିମ ଦେବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । କିନ୍ତୁ ବଡ ବଡ ସହରରେ ଘରୋଇ ଡାକ୍ତରଖାନା ଗୁଡିକରେ ଏବେ ଆଇସିୟୁ ଗୁଡିକରେ ଆୟୁଷ ଡାକ୍ତରଙ୍କ ରୋଗୀ ସେବା କଥା ସାମ୍ନାକୁ ଆସୁଛି ।

ବିଶେଷ କରି ରାତିରେ ଡାକ୍ତରଙ୍କ ଅନୁପସ୍ଥିତିରେ ଆୟୁଷ ଡାକ୍ତରଙ୍କୁ ରୋଗୀ ସେବାରେ ନିୟୋଜିତ କରାଯାଉଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଏହି ଆୟୁଷ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସେବାର କେହି ଶିକାର ହେଲେ, ଏଥିପାଇଁ ଉତରଦାୟୀ ହେବ କିଏ ? ଏଥିପ୍ରତି ନାସନାଲ ଆକ୍ରିଡେସନ୍ ବୋର୍ଡ ଫର ହସ୍ପିଟାଲ୍ ଆଣ୍ଡ୍ ହେଲଥ କେୟାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କରୋନା କାଳରେ ଦେଶର ବଡ ବଡ ସହରରେ ଚିକିତ୍ସା ସେବାର ଏପରି କରୁଣ ଚିତ୍ର ବାସ୍ତବରେ ଚିନ୍ତାଜନକ ।