କନକ ବ୍ୟୁରୋ : ୩ଦଫା ଦାବିରେ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ । ସେପଟେ ବିଦ୍ୟାଳୟରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଭିନ୍ନ ସ୍କୁଲରେ ତାଲା ପଡ଼ିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଟଳ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ ହୋଇଯାଇଛି ।

Advertisment

ଅନ୍ୟପଟେ ଗତକାଲି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ସରକାର ନାଲି ଆଖି ଦେଖାଇଥିଲେ । ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସବୁ ବିଇଓ ଏବଂ ଡିଇଓଙ୍କୁ ଚିଠି ଲେଖିଥିଲେ ସରକାର । ଚିଠିରେ କୁହାଯାଇଛି ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି । ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଧମକରେ ଡରି ନଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ଜିଦରେ ଅଟଳ ରହିଛନ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି । ସେପଟେ ରାଜ୍ୟ ବିଜେପି ସଭାପତି ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମରେ ଥିବା ବେଳେ ଶିକ୍ଷକଙ୍କ ୩ଦଫା ଆନ୍ଦୋଳନକୁ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି । କେବଳ ସମର୍ଥନ କରିନାହାନ୍ତି ବରଂ ସରକାର ଶିକ୍ଷକଙ୍କ ଦାବିକୁ ପୂରଣ କରିବା ଉଚିତ ବୋଲି କହିଛନ୍ତି । ସରକାର ୭ ବର୍ଷ ହେବ ପ୍ରତିଶ୍ରୁତିି ଦେଇ ଆସୁଛନ୍ତି ତେଣୁ ତୁରନ୍ତ ଶିକ୍ଷକଙ୍କ ଦାବିକୁ ପୂରଣ କରନ୍ତୁ ବୋଲି ମନମୋହନ କହିଛନ୍ତି ।