ଆଦିବାସୀ ଗାଁକୁ ଘାରିଛି କିଡନୀ ରୋଗ ଆତଙ୍କ: କଟକ ନରସିଂହପୁର ମଲକା ଗାଁରେ ଘରେ ଘରେ କିଡନୀ ରୋଗରେ ପୀଡିତ ଲୋକେ

210

କନକ ବ୍ୟୁରୋ: ଏବେ କିଡନୀ ରୋଗ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ନରସିଂହପୁରର ମଲକା ଗାଁରୁ ପିଛା ଛାଡୁନି କିଡନୀ ରୋଗ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଟକ ନରସିଂହପୁରରେ ଏମିତି ଏକ ଗାଁ ରହିଛି ଯେଉଁଠି ଗାଁର ଜଣେ କି ଦୁଇ ଜଣ ନୁହେଁ ପ୍ରତି ପରିବାରରୁ ଜଣେ ଲେଖାଏଁ କିଡନୀ ରୋଗରେ ଆକ୍ରାନ୍ତ । ପିଇବା ପାଣିରୁ କିଡ଼ନୀ ରୋଗ ବ୍ୟାପୁଥିବା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।

କଟକ ନରସିଂହପୁରଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଆଦିବାସୀ ଗାଁ ମଲକାରେ ଏବେ କିଡ଼ନୀ ରୋଗ ଆତଙ୍କ । ଗାଁରେ ପ୍ରତିମାସରେ ଜଣେ ଲେଖାଏଁ କିଡନୀ ରୋଗୀ ପ୍ରାଣ ହରାଉଛନ୍ତି । ଅନେକ ଏବେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରେ କଷ୍ଟ ଭୋଗୁଛନ୍ତି । ଗାଁରେ ପ୍ରତି ପରିବାରରେ ଜଣେ ଲେଖାଁଏ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗାଁ ଲୋକେ ପିଉଥିବା ପାଣିରେ ଅଧିକ ମାତ୍ରାରେ ଫ୍ଲୋରାଇଡ଼ଥିବାରୁ କିଡ଼ନୀ ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି ।

ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଡ଼ାଇଲେସିସ କେନ୍ଦ୍ର ଅଛି । ଆଉ ଏହି କେନ୍ଦ୍ରରେ ୭ ଟି ମେସିନରେ ୭୦ ଜଣ ଡ଼ାଇଲେସିସ ଚିକିତ୍ସିତ ହେଉଛନ୍ତି । ମେଡ଼ିକାଲରେ ପାଣିର ଅଭାବ ଥିବାରୁ ଡ଼ାଇଲେସିସ ବାଧାପ୍ରାପ୍ତ ହେଉଛି । କିଡ଼ନୀ ରୋଗ ଉପରେ ଗବେଷଣା କରୁଥିବା କିଛି ସ୍ୱେଚ୍ଛାସେବୀ ସଂଗଠନ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏ ନେଇ କୋ÷ଣସି ତତ୍ପରତା ଦେଖାଯାଉ ନାହିଁ । କିଡ଼ନୀ ରୋଗ ପାଇଁ ଏବେ ଆତଙ୍କିତ ନରସିଂହପୁରବାସୀ । ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ଏ ଯାଏଁ ରୋଗର କାରଣ ଖୋଜିପାଇନି ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ ।