ପାକିସ୍ତାନରେ ହନିଟ୍ରାପ ଭୂକମ୍ପର ଝଟକା: ସିନେମା ଜଗତରୁ ସେନା ଯାଏଁ ହଇଚଇ

462

କନକ ବ୍ୟୁରୋ: ପାକିସ୍ତାନର ରାଜନେତାଙ୍କୁ ହନିଟ୍ରାପରେ ଛନ୍ଦି ବ୍ଲାକମେଲ କରୁଥିଲେ ସେନା ଓ ଏଏସଆଇ ଅଧିକାରୀ । ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ସେନା ଅଧିକାରୀ ଆଦିଲ ରଜା । ସେ କହିଛନ୍ତି ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କୁ ହନିଟ୍ରାପ ପାଇଁ ବ୍ୟବହାର କରାଯାଉଥିଲା । ଆଦିଲ ରଜାଙ୍କ ଏହି ଅଭିଯୋଗ ପାକିସ୍ତାନର ରାଜନୈତିକ ମହଲଠୁ ଆରମ୍ଭ କରି ପାକିସ୍ତାନ ସିନେମା ଜଗତ ଓ ସେନାଅଧିକାରୀଙ୍କୁ ଦୋହଳାଇ ଦେଇଛି ।

ଆଦିଲ ରଜାଙ୍କ ଅଭିଯୋଗ ପାକିସ୍ତାନର ପୂର୍ବତନ ସେନାମୁଖ୍ୟ କମର ଜାଭେଦ ବାଜୱା ଓ ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ ହମିଦ ଏହି ହନିଟ୍ରାପର ମାଷ୍ଟର ମାଇଣ୍ଡ । ଅଭିନେତ୍ରୀ ଓ ମୋଡେଲଙ୍କ ସହ ନେତାଙ୍କ ଅନ୍ତରଙ୍ଗ ମୂହୂର୍ତର ଭିଡିଓ ସୁଟ କରି ବ୍ଲାକମେଲ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଆଦିଲ ରଜା ଚାରି ଅଭିନେତ୍ରୀଙ୍କ ନାଁର ପ୍ରାରମ୍ଭିକ ଅକ୍ଷର କହିଥିବା ବେଳେ ପାକ ଗଣମାଧ୍ୟମ ସେମାନଙ୍କୁ ମେହୱିଶ ହୟାତ, ମାହିରା ଖାନ, କୁବ୍ରା ଖାନ ଓ ସଜଲ ଅଲ୍ଲୀ ବୋଲି ଦର୍ଶାଇଛନ୍ତି । ଦୁଇ ଅଭିନେତ୍ରୀ ଅଭିଯୋଗକୁ ଖଣ୍ଡନ କରିବା ସହ ଆଦିଲ ରଜା କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ହନିଟ୍ରାପର ଅଭିଯୋଗ ଆଣିଥିବା ଆଦିଲ ରାଜା ପାକିସ୍ତାନ ଛାଡି ଏବେ ବ୍ରିଟେନରେ ରହୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସେ ଘନିଷ୍ଟ ଓ ଇମ୍ରାନଙ୍କ ଦଳ ଖରାପ ସମୟ ଦେଇ ଗତି କରୁଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ଏଭଳି ଅଭିଯୋଗ ଆଣିଥିବା ମଧ୍ୟ ଚର୍ଚ୍ଚା ହେଉଛି ।