ବଦଳୁଛି ନୂଆ ଜାମ୍ମୁକାଶ୍ମୀର । ସେନାରେ ସାମିଲ ହେବାକୁ ଧାଡି ଲଗାଇଛନ୍ତି ଶହ ଶହ ଯୁବକ, ବିକାଶ ପଥରେ ସାମିଲ ହେବାକୁ ଦେଲେ ଆହ୍ୱାନ ।

400

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେମିତି ଅଛି ଘାଟିର ସ୍ଥିତି ଏହାକୁ ନେଇ ସମସ୍ତଙ୍କ ମନରେ ଲାଗି ରହିଛି କୌତୁହଳ । ଏଭଳି ସମୟରେ ସାମନାକୁ ଆସିବାରେ ଲାଗିଛି ନୂଆ ନୂଆ ଦୃଶ୍ୟ । ଯାହାକୁ ଦେଖିଲେ ସହଜରେ ବୁଝି ହେବ ବଦଳୁଛି କାଶ୍ମୀର? ଆଉ କଣ ଚାହୁଁଛନ୍ତି ନୂଆ କାଶ୍ମୀର ଯୁବପୀଢ଼ି ?

ବଦଳୁଛି ଜମ୍ମୁକାଶ୍ମୀର । ସେନାରେ ସାମିଲ ପାଇଁ ଉତ୍ସାହ । ଏହି ଦୃଶ୍ୟ ଜମ୍ମୁକାଶ୍ମୀରର ରିୟାସି ଅଂଚଳର । ଭାରତୀୟ ସେନାରେ ସାମିଲ ହେବା ପାଇଁ ରିକ୍ରିୁଟିମେଂଟ ରାଲିରେ ଧାଡି ଲଗାଇଛନ୍ତିି ଶହ ଶହ ସଂଖ୍ୟାରେ ଯୁବକ । ଭାରତୀୟ ସେନାରେ ସାମିଲ ହେବା ପାଇଁ ଯୁବକଙ୍କ ମଧ୍ୟରେ ଏହି ଉତ୍ସାହ ପ୍ରମାଣିତ କରୁଛି ବଦଳୁଛି ନୂଆ କାଶ୍ମୀର । କାରଣ ଦିନ ଥିଲା ଘାଟିରେ ଏହି ପରି ଯୁବକ ଓ କିଶୋରଙ୍କ ହାତରେ ରହୁଥିଲା ପଥର । ଏହାର ନିଶାନା ବନୁଥିଲା ଭାରତୀୟ ସେନା । କିନ୍ତୁ ଏବେ କାଶ୍ମୀରର ଯୁବକମାନେ ସେନାରେ ସାମିଲ ହୋଇ ଆତଙ୍କବାଦୀ ଓ ଶତ୍ରୁ ଦେଶ ବିରୋଧରେ ଲଢ଼େଇ କରି ଘାଟିକୁ ବିକାଶ ପଥରେ ଆଗେଇ ନେବାକୁ ପଣ କରିଛନ୍ତି ।

ଅନ୍ୟପଟେ କାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପ୍ରଥମ ଥର ପାଇଁ ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି ଜାମ୍ମୁକାଶ୍ମୀର ପଂଚାୟତ ସ୍ତରର ୧୦୦ ଜଣିଆ ପ୍ରତିନିଧି ଦଳ । ଏମାନଙ୍କ ମଧ୍ୟରେ ରହିଛନ୍ତି ଜାମ୍ମୁକାଶ୍ମୀର, ପୁଲୱାମା ଓ ଲଦାଖର ନିର୍ବାଚିତ ଲୋକ ପ୍ରତିନିଧି । ଘାଟିରେ କିଭଳି ବିକାଶ ହୋଇପାରିବ ସେନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ । କିଭଳି ଅଧିକ ନିଯୁକ୍ତି ଓ ନିବେଶ ହୋଇପାରିବ ସେ ନେଇ କରିଛନ୍ତି ବିଚାରବିମର୍ଷ ।

ଅଗଷ୍ଟ ୫ତାରିଖରେ ଯେତେବେଳେ ଜମ୍ମୁକାଶ୍ମୀରରୁ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ ସେତେବେଳେ କଣ ହେବ ଘାଟିର ସ୍ଥିତି ତାକୁ ନେଇ ଲୋକଙ୍କ ମନରେ ନାନା ଆଶଙ୍କା କରାଯାଉଥିଲା । ଏହି ଆଶଙ୍କା ଉପରେ ଧିରେ ଧିରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ ।