ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର ଛାତି ଉପରେ ଏକାଠି ହେବେ କ୍ରିକେଟର ରାହାଣେ, କୈଫ ଓ ଅଲିମ୍ପିକ୍ ଷ୍ଟାର ବେନ ଜନସନଙ୍କ ଭଳି ଷ୍ଟାର ଖେଳାଳି ।

ହକି ବିଶ୍ୱକପ ପୂର୍ବରୁ ଓଡିଶାରେ ହେବ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟ ! ଯୋଗ ଦେବେ ବିଶ୍ୱ କ୍ରୀଡା ଜଗତର ନାମୀଦାମୀ ଖେଳାଳି, ସିଧାସଳଖ ବାର୍ତ୍ତାଳାପ କରିପାରିବେ ପ୍ରଂଶସକ

166

କନକ ବ୍ୟୁରୋ : ପୂରା ଦେଶରେ ଯାହା ହୋଇନଥିଲା ତାହା ଏବେ ଓଡିଶାରେ ହେବାକୁ ଯାଉଛି । ଏସିଆ ମହାଦେଶର ପ୍ରଥମ ତଥା ସବୁଠୁ ବଡ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଓଡିଶାରେ ଅୟୋଜିତ ହେବାକୁ ଯାଉଛି । ନଭେମ୍ବର ୨ ଓ ୩ ଦୁଇଦିନ ଧରି ହେବାକୁ ଥିବା ଏକାମ୍ର ଖେଳ ସାହିତ୍ୟ ଉତ୍ସବରେ ବିଶ୍ୱ କ୍ରୀଡା ଜଗତର ନାମୀଦାମୀ ଖେଳାଳିଙ୍କ ସହ ଖ୍ୟାତିସମ୍ପନ୍ନ ଲେଖକ ଓ କ୍ରୀଡା ଜଗତ ସହ ଜଡିତ ଥିବା କିଛି ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆସନ୍ତା ୨ ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି କ୍ରୀଡା ସଚିବ ବିଶାଲ ଦେବ ।


ହକି ବିଶ୍ୱକପ ପୂର୍ବରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟ ରାଜ୍ୟରେ ଏକ କ୍ରୀଡା ପାଇଁ ଏକ ମାହୋଲ ସୃଷ୍ଟି କରିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ କୁହାଯାଇଛି । କାରଣ ଏହି ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲରେ ଭାରତୀୟ କ୍ରିକେଟ ଜଗତର କିଛି ନାମୀ ଦାମୀ ଖେଳାଳି ଆଜିଙ୍କ୍ୟ ରାହାଣେ, ମହମ୍ମଦ କୈଫ ଯୋଗଦେବେ । ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଜିଙ୍କ୍ୟ ରାହାଣେ । ଏପରିକି ସେ ନିଜେ ଏତେବଡ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ବେଶ ଖୁସି ଅଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ଆଜିଙ୍କ୍ୟ ରାହାଣେ ।


ଏମାନଙ୍କ ବ୍ୟତୀତ କାଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିବେ ପୂର୍ବତନ ସ୍ପ୍ରିଣ୍ଟର ତଥା ଅଲିମ୍ପିକ୍ ଷ୍ଟାର ବେନ ଜନସନ୍ । ସେ ମଧ୍ୟ ଓଡିଶା ଆସିବାକୁ ବେଶ ଉତ୍ସାହିତ ଅଛନ୍ତି । ସେହିଭଳି ଭାରତର କିଛି ଆଥଲେଟ ମଧ୍ୟ ସାମିଲ ହେବେ । ଯେଉଁମାନଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିପାରିବେ ପ୍ରଂଶସକ । ଏହାଛଡା ଖେଳାଳି ମାନେ ମଧ୍ୟ ନିଜର ସଂଘର୍ଷପୂର୍ଣ୍ଣ କ୍ୟାରିୟରର ଅଭିଜ୍ଞତା ପ୍ରଂଶସକଙ୍କ ନିକଟରେ ବଖାଣିବେ । ଯାହା ଯୁବ କ୍ରୀଡାବିତ ମାନଙ୍କୁ କ୍ରୀଡା କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ ।

ଏସବୁ ଭିତରେ ସ୍ପୋର୍ଟ୍ସ କ୍ୟାପିଟାଲ ପାଲଟିଥିବା ଓଡିଶା ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଟି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି । ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ପରେ ପରେ ଓଡିଶାରେ ହେବ ହକି ବିଶ୍ୱକପ । ଆଉ ଏଥିପାଇଁ ପ୍ରସ୍ତୁତ ହୋଇସାରିଲାଣି କଳିଙ୍ଗ ଷ୍ଟାଡିୟମ । ହକି ବିଶ୍ୱକପକୁ ସଫଳ କରିବାକୁ ଏବେ ଜି ଜାନ ଲଗାଇଦେଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରମୋଟ କରୁଛନ୍ତି ରାଜ୍ୟ ସରକାର । ଆଉ ଏସବୁ ଭିତରେ ହକି ବିଶ୍ୱକପ ପୂର୍ବରୁ ଏସିଆର ସବୁଠୁ ବଡ ତଥା ପ୍ରତିଷ୍ଠିତ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟର ଆୟୋଜନ ହେବାକୁ ଯାଉଛି। ଯାହାର ମୁଖ୍ୟ ଲକ୍ଷ୍ୟ ରହିବ ଭୁବନେଶ୍ୱରରେ କ୍ରୀଡାର ମାହୋଲ ସୃଷ୍ଟି କରିବା । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ଦେଶ ବିଦେଶର ଖେଳାଳିଙ୍କ ସହ ସାଧାରଣ ଲୋକ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।