ଆର୍ଥିକ ମାନ୍ଦାବସ୍ଥାର ସିଧା ପ୍ରଭାବ ପଡ଼ିଛି ଇସ୍ପାତ ଉଦ୍ୟୋଗ ଉପରେ । ଏପଟେ ରାଜ୍ୟରେ ମାତ୍ରାଧିକ ବିଜୁଳି ବିଲ ମାଡ : ୭୦ ପ୍ରତିଶତ ଇସ୍ପାତ ଉଦ୍ୟୋଗରେ ତାଲା

162

କନକ ବ୍ୟୁରୋ : ସମଗ୍ର ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ସିଧା ପ୍ରଭାବ ପଡ଼ିଛି ଇସ୍ପାତ ଉଦ୍ୟୋଗରେ। ଏପରି ସ୍ଥିତିରେ ରାଜ୍ୟରେ ଅତ୍ୟଧିକ ବିଜୁଳି ବିଲ୍‌ ସମସ୍ୟାକୁ ଆହୁରି ଜଟିଳ କରିଛି। ମାତ୍ରାଧିକ ବିଜୁଳି ବିଲ୍‌ ସହ ଠିକ୍‌ ସମୟରେ କଞ୍ଚାମାଲ୍‌ ମିଳୁ ନଥିବାରୁ ରାଜ୍ୟର ପ୍ରାୟ ୭୦% ଇସ୍ପାତ ଓ ଲୁହା ଉଦ୍ୟୋଗରେ ତାଲା ଝୁଲୁଛି। ଯେ‌ନତେନ ପ୍ରକାର ଚାଲୁଥିବା ଅବଶିଷ୍ଟ ଉଦ୍ୟୋଗଗୁଡ଼ିକ ବନ୍ଦ ହେବା ଉପରେ।

ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡ଼ଖଣ୍ଡ ସରକାର ଇସ୍ପାତ ଓ ଲୁହା ଉଦ୍ୟୋଗର ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି। ଓଡ଼ିଶାରେ ଇସ୍ପାତ ଓ ଲୁହା ଉଦ୍ୟୋଗଗୁଡ଼ିକରୁ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଶୁଳ୍କ ୫ଟଙ୍କା ୮୫ ପଇସା ନିଆଯାଉଛି। ଛତିଶଗଡ଼ରେ ୟୁନିଟ୍‌ ପିଛା ୪ଟଙ୍କା ୩୪ ପଇସା ଓ ଝାଡ଼ଖଣ୍ଡରେ ୟୁନିଟ୍‌ ପିଛା ୩ ଟଙ୍କା ୭୦ ପଇସା ନିଆଯାଉଛି। ଝାଡ଼ଖଣ୍ଡରେ ଓଡ଼ିଶାଠାରୁ ୟୁନିଟ୍‌ ପିଛା ୨ଟଙ୍କା ୧୫ ପଇସା କମ୍‌ ରହିଛି। ଏହିପରି ଭାବେ ୧ ଟନ୍‌ ଇନ୍‌ଗଟ୍‌ ପ୍ରସ୍ତୁତି ପାଇଁ ୧୦୦୦ ୟୁନିଟ୍‌ ବିଜୁଳି ଖର୍ଚ୍ଚ ହେଉଛି, ଅର୍ଥାତ୍‌ ୫ ହଜାର ୫୦୦ ଟଙ୍କା ଦେବାକୁ ପଡୁଛି। ଯାହା ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗଠାରୁ ଢେର ଅଧିକ ରହିଛି। ଏସବୁ କାରଣ ପାଇଁ ଓଡ଼ିଶାର ଚାଲିଥିବା ପ୍ରାୟ ୭୪ରୁ ଅଧିକ ଇସ୍ପାତ ଓ ଲୁହା ଉଦ୍ୟୋଗ ମଧ୍ୟରୁ ୪୨ଟି ବନ୍ଦ ହୋଇଯାଇଛି। ଏଥିମଧ୍ୟରୁ ପ୍ରାୟ ୮୦% ହେଉଛି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ।

ବନ୍ଦ୍‌ ହୋଇ ସାରିଥିବା ପ୍ରମୁଖ ଇସ୍ପାତ ଓ ଲୁହା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛି ବଜରଙ୍ଗବାଲି ଆଲଏଜ୍‌ ପ୍ରାଇଭେଟ୍‌ ଲିମିଟେଡ, ଜୟ ଜଗନ୍ନାଥ କାଷ୍ଟିଂ, ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌, ପୱନଜୟ ଫର୍ଣ୍ଣେସ ଡିଭିଜନ୍‌, ରେକ୍ସନ ଷ୍ଟ୍ରିପ୍‌ ଲିମିଟେଡ୍‌, ଶିବା ରୋଲିଂ ମିଲ୍‌ ପ୍ରାଇଭେଟ୍ ଲିମିଟେଡ୍‌, ଶୁଭ ଇସ୍ପାତ, ଠାକୁର ପ୍ରସାଦ ଆଣ୍ଡ ସନ୍‌ସ ପ୍ରାଇଭେଟ୍ ଲିମିଟେଡ (ଫର୍ଣ୍ଣେସ ଡିଭିଜନ୍‌), ବିଶାଳ ଫେରା ଆଲାଏଜ୍‌ ଲିମିଟେଡ୍‌, କୁଆରମୁଣ୍ଡାର ସଂଘମିତ୍ରା ଆଇରନ୍‌, ରାଜଗାଙ୍ଗପୁରର ଅଷ୍ଟ ବିନାୟକ ଇଞ୍ଜିନିୟର୍ସ, ଚିକଟମାଟିର ମା ଲକ୍ଷ୍ମୀ ଷ୍ଟିଲ୍‌ସ, କାଂଶବାହାଲର ରାଘବେନ୍ଦ୍ର ଷ୍ଟିଲ, ସମ୍ବଲପୁର ବାମରାର ସଦପୁର ମେଟାଲ ଷ୍ଟିଲ ଆଇରନ୍‌ ଓ ଝାରସୁଗୁଡାର ଗଣପତି ଫେରୋ ଇଣ୍ଡିଆ ଲିମିଟେଡ୍‌ ଇତ୍ୟାଦି।

ବନ୍ଦ ଯୋଗୁଁ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୫,୦୦୦ରୁ ଅଧିକ ଶ୍ରମିକ କର୍ମଚାରୀ କର୍ମସଂସ୍ଥାନ ହରାଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅଧିକାଂଶ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଆଉ କିଛି ଶ୍ରମିକ କାମ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି। ରୁଗ୍‌ଣ ସ୍ଥିତିରେ ଚାଲିଥିବା ଅବଶିଷ୍ଟ ୨୧ ଷ୍ଟିଲ ଆଇରନ୍‌ ଉଦ୍ୟୋଗର ଭବିଷ୍ୟତକୁ ନେଇ ବି ଉଠିଛି ପ୍ରଶ୍ନବାଚୀ। ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସରକାର ଶିଳ୍ପର ଅଭିବୃଦ୍ଧି ପାଇଁ ବିଦ୍ୟୁତ୍‌ ଶୁଳ୍କ ହ୍ରାସ କରୁଥିବାବେଳେ ଓଡ଼ିଶା ସରକାର ଏଥିରେ ପଛଘୁଞ୍ଚା ଦେବା ଉଦ୍ୟୋଗପତିଙ୍କୁ ଚିନ୍ତାରେ ପକାଇଛି।

ଗତ କିଛି ବର୍ଷ ହେବ ରାଉରକେଲା ବଣିକ ସଂଘ ସହଯୋଗରେ ଉଦ୍ୟୋଗପତିମାନେ ଏ ନେଇ ବାରମ୍ବାର ରାଜ୍ୟ ଶିଳ୍ପମନ୍ତ୍ରୀ, ଶକ୍ତିମନ୍ତ୍ରୀ ତଥା ବିଭାଗୀୟ ସଚିବଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଶିଳ୍ପସମୃଦ୍ଧ ସୁନ୍ଦରଗଡ ଜିଲ୍ଲାର ଦୟନୀୟସ୍ଥିତିର ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଅଦ୍ୟାବଧି କିଛି ସୁଫଳ ମିଳିନାହିଁ। ତେଣୁ ଇତିମଧ୍ୟରେ କିଛି ଉଦ୍ୟୋଗପତି ଓଡ଼ିଶା ଛାଡି ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଚାଲି ଗଲେଣି। ଆଉ କିଛି ରୁଗ୍‌ଣ ସ୍ଥିତିରେ ଚାଲିଥିବା ଓଡ଼ିଶା ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଉଦ୍ୟୋଗପତିଙ୍କ କହିବା ଅନୁଯାୟୀ, ଜିଲ୍ଲାର ଇସ୍ପାତ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ବିଦ୍ୟୁତ୍‌ ବିଲ୍‌ କ୍ଷେତ୍ରରେ ଠୋସ୍‌ ପଦକ୍ଷେପ ନ ନେଲେ ଦିନ ଆସିବ ଏଠାକାର ସମସ୍ତ ଷ୍ଟିଲ ଆଇରନ ଉଦ୍ୟୋଗରେ ତାଲା ଝୁଲୁଥିବ।