କନକ ବ୍ୟୁରୋ: କାଳ ହେଲା କାଳବୈଶାଖୀ । କେଉଁଠି ଗଛ ପଡି ଘର ଭାଙ୍ଗି ଦେଲା ତ ଆଉ କେଉଁଠି ଛପର ସଂପୁର୍ଣ୍ଣ ଉଡାଇ ନେଲା । ବେଘର, ବେସାହାର ହୋଇଛନ୍ତି ଅନେକ ପରିବାର । ସମ୍ବଲପୁର କୁଚିଣ୍ଡା ବ୍ଲକର ଅନେକ ଗାଁର ପରିବାର ଏବେ ବାସହରା ହୋଇ ପରଘରେ ମୁଣ୍ଡ ଗୁଞିଛନ୍ତି ।

Advertisment

କାଳବୈଶାଖୀରେ ଭାଙ୍ଗି ଯାଇଛି ଘର । ଅଦିନିଆ ବର୍ଷା ପବନରେ ଭାଙ୍ଗି ଯାଇଥିବା ଘରକୁ ହତାଶ ହୋଇଛନ୍ତି ପୀଡିତ ପରିବାର । ଘର ଉପରେ ଗଛ ପଡିବାରୁ ବାସ ହରାଇଛନ୍ତି । ନିଜେ ମୁଣ୍ଡ ଗୁଂଜିବା ପାଇଁ ଜାଗା ନଥିବା ବେଳେ ବର୍ଷକ ଆହାର ପାଇଁ ସାଇତିଥିବା ଧାନ, ଚାଉଳ ଓ ଆସବାବ ପତ୍ର କେଉଁଠି ରଖିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।

କାଳବୈଶାଖି ଯୋଗୁଁ ପ୍ରଭାବିତ ହୋଇଛି ସମ୍ବଲପୁର କୁଚିଣ୍ଡା ବ୍ଲକର ଅନେକ ଗାଁ । କୁସୁମୀ, କୁନ୍ତରା, ସାଲେଭାଡି, ବଣ୍ଡାବାହାଲ, ବ୍ରାହ୍ମଣୀଡିହି, ଚିତ୍ରାପୋଷୀ, ମୁଣ୍ଡାପଡା, ଲୁନ୍ଦୁରୁଡିହି ଗାଁରେ ବହୁ ଲୋକଙ୍କ ଘର ଛପର ଉଡିଯାଇଛି । ସ୍ଥାନୀୟ ସରପଂଚ, ରାଜସ୍ୱ ନିରିକ୍ଷକ କ୍ଷତିଗ୍ରସ୍ତଙ୍କ ପରିବାରଙ୍କୁ ଭେଟିବା ସହ ଭାଙ୍ଗିଥିବା ଘର ବୁଲି ଦେଖିଛନ୍ତି । କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ଯଥା ଶିଘ୍ର କ୍ଷତିପୁରଣ ଦେବା ପାଇଁ ସ୍ଥାନୀୟ ସରପଂଚ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଅଦିନିଆ ବର୍ଷା ପବନ ଯୋଗୁଁ ଅସହ୍ୟ ଗରମରୁ ସିନା ଆସ୍ୱସ୍ତି ମିଳିଲା, ହେଲେ ଅନେକଙ୍କ ଘର ଉଜାଡି ଦେଇଛି କାଳବୈଶାଖୀ ।