କନକ ବ୍ୟୁରୋ : ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଗତ ୨୪ ଘଣ୍ଟାରେ ଭୂସ୍ଖଳ ଓ ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକେ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଶିମଲାର ୧୬ ଜଣ, ମଣ୍ଡିର ୧୯ ଜଣ, ସିରମୌରର ୪ ଜଣ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ୭୫୨ ରାସ୍ତା ବନ୍ଦ ରହିଛି । କାଲକା-ଶିମଲା ରେଲୱେ ଟ୍ରାକ୍ ମଧ୍ୟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।

Advertisment

ତେବେ ଆହୁରି ଦିନେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଲଗାତର ବର୍ଷା ଯୋଗୁଁ ମନ୍ଦିର ଗୁଡ଼ିକରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଛି । ପାହାଡ଼ରୁ ଏବେବି ପଥର ଖସୁଛି, ଯେଉଁଥିପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ହିମାଚଳରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି । ସେପଟେ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିବା ପାଇଁ ସ୍ୱାଧୀନତା ଦିବସ ଅବସରରେ କୌଣସି ପ୍ରକାରର କାର୍ଯ୍ୟକ୍ରମ ହେବ ନାହିଁ ବୋଲି କହିଛନ୍ତି । କେବଳ ଧ୍ୱଜାବତରଣ କରାଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେପଟେ ଉତରାଖଣ୍ଡର ଋଷିକେଶରେ ଭୂସ୍ଖଳନ ଯୋଗୁଁ ୫ ଜଣ ନିଖୋଜ ହୋଇଛନ୍ତି । ବର୍ଷା ଯୋଗୁଁ ଋଷିକେଶରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ପ୍ରଭାବରେ ଉତ୍ତରାଖଣ୍ଡର ମାଲଦେବତାରେ ଥିବା ଡେରାଡୁନ୍ ଡିଫେନ୍ସ କଲେଜ କୋଠା ଭୁଶୁଡ଼ି ପଡ଼ିଛି ।