କନକ ବ୍ୟୁରୋ : ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ଗୋଟିଏ ସ୍ୱପ୍ନ ରହିଛି ଆଇଏଏସ ଅଫିସର ହେବାକୁ । ଆଜି ଏହି ଖବର ମାଧ୍ୟମରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଆଇଏଏସ ଅଫିସରଙ୍କୁ ସରକାର କେଉଁ କେଉଁ ସୁବିଧା ଉପଲବ୍ଧ କରାଇଥାନ୍ତି । ଜଣେ ଆଇଏଏସ ଅଫିସରଙ୍କୁ ଏଭଳି ଅନେକ ସୁବିଧା ଯୋଗାଇ ଦିଆଯାଇଥାଏ କି, ଯାହା ପାଇବାକୁ ପ୍ରତିଟି ମଣିଷ ନିଜ ଭିତରେ ସ୍ୱପ୍ନ ଦେଖିଥାଏ ।

Advertisment

ସରକାରଙ୍କ ତରଫରୁ ପ୍ରତି ଆଇଏଏସ ଅଫିସରଙ୍କୁ ବଡ ସରକାରୀ ଘର ମିଳିଥାଏ । ଯାହା ମଧ୍ୟରେ ରୋଷୟା, ମାଳି, ସୁରକ୍ଷା ଗାର୍ଡ ଆଦି ରହିଥାନ୍ତି । ଆଇଏଏସ ଅଫିସରଙ୍କୁ ମିଳୁଥିବା ସରକାରୀ ଘର ବାସ୍ତବରେ ଏକ ମହଲ ଠାରୁ କୌଣସି ଗୁଣରେ କମ ହୋଇ ନଥାଏ । ଅନ୍ୟପଟେ ଆଇଏଏସ ଅଫିସରଙ୍କୁ ଗୋଟିଏ କିମ୍ବା ଏକାଧିକ ଗାଡି ଚାଳକ ସହ ଉପଲବ୍ଧ କରାଇଥାନ୍ତି ସରକାର । ଯଦି ଆମେ ସୁରକ୍ଷା କଥା କହିବା ତେବେ ସରକାରଙ୍କ ତରଫରୁ ଆଇଏଏସ ଅଧିକାରୀ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ସୁରକ୍ଷା ଗାର୍ଡର ବ୍ୟବସ୍ଥା କରାଯାଇଥାଏ । ଜଣେ ଆଇଏଏସ ଅଧିକାରୀଙ୍କୁ ସରକାର ମାଗଣାରେ ବିଜୁଳି ଯୋଗାଇ ଦେବା ସହ ପାଣି, ଗ୍ୟାସ ଓ ଟେଲିଫୋନ ସୁବିଧା ବି ମାଗଣାରେ ଯୋଗାଇ ଦିଆଯାଇଥାଏ । ସରକାରୀ କିମ୍ବା ବେସରକାରୀ କାମରେ ବାହାରକୁ ଗଲେ ସରକାରୀ ଡାକ ବଙ୍ଗଳା ଉପଲବ୍ଧ କରାଯାଇଥାଏ । ଏହାସହ ଦିଲ୍ଲୀ ଗସ୍ତରେ ଗଲେ ସେଠାରେ ରାଜ୍ୟ ଭବନରେ ରହିବାର ସୁଯୋଗ ମିଳିଥାଏ ।

ଅନ୍ୟପଟେ ଯଦି ଚାକିରୀ କାଳରେ ଛୁଟି କଥା କୁହାଯିବ ତେବେ ଜଣେ ଆଇଏଏସ ଅଧିକାରୀ ଅଧିକ ପଢିବା ପାଇଁ ଷ୍ଟଡି ଲିଭ୍ ଭାବେ ୨ ବର୍ଷ ଛୁଟି ନେଇପାରିବେ । ଏହାସହ ସେ ଯେଉଁ ପାଠ ପଢିବେ ତାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିଥାନ୍ତି । କହିରଖୁ କି ୭ ବର୍ଷ ଚାକିରୀ କରିବା ପରେ ଜଣେ ଆଇଏଏସ ଅଧିକାରୀଙ୍କୁ ସରକାର ଏହି ସୁବିଧା ଉପଲବ୍ଧ କରାଇଥାନ୍ତି ।

ଯଦି ଚାକିରୀର ସୁରକ୍ଷା କଥା କହିବା ତେବେ ଜଣେ ଆଇଏଏସ ଅଧିକାରୀଙ୍କ ଚାକିରୀ ଅନ୍ୟ ଅଧିକାରୀଙ୍କ ଚାକିରୀ ଠାରୁ ବହୁ ସୁରକ୍ଷିତ । କାରଣ ଜଣେ ଆଇଏଏସ ଅଧିକାରୀଙ୍କ ଚାକିରୀରୁ ବରଖାସ୍ତ କରିବା ଏତେ ସହଜ ନୁହେଁ । ଏହି ପ୍ରକ୍ରିୟାରେ ବ୍ୟାପକ ପଚରା ଉଚରା ଓ ଯାଂଚର ଆବଶ୍ୟକତା ପଡିଥାଏ । ଏହାସହ ଅନ୍ୟ ଅଧିକାରୀଙ୍କ ଭଳି ଜଣେ ଆଇଏଏସ ଅଧିକାରୀ ବି ଆଜୀବନ ପେନସନ ଓ ଅନ୍ୟ ସେବା ନିବୃତ୍ତି ଲାଭ ପାଇଥାନ୍ତି । ଏହାସହ ସେ ଚାକିରୀରୁ ଅବସର ନେବା ପରେ ସରକାର ଚାହିଁଲେ ତାଙ୍କୁ କମିଶନ କିମ୍ବା ଟ୍ରିବ୍ୟୁନାଲ ଅଧିକାରୀ ଭାବେ ନିଯୁକ୍ତି ଦେଇପାରିବେ ।