କନକ ବ୍ୟୁରୋ: ଆମେରିକା ଜର୍ଜଟାଉନ ୟୁନିଭର୍ସିଟିର ନୂଆ ଗବେଷଣା ଅନୁସାରେ, ୨୦୭୦ ସୁଦ୍ଧା ବିଶ୍ୱ ହଜାର ହଜାର ସଂଖ୍ୟାରେ ମହାମାରୀର ଶିକାର ହେବ । ଏହି ସମୟରେ ଅତି କମରେ ୧୫ ହଜାର ଭୂତାଣୁ ପଶୁଙ୍କଠାରୁ ମଣିଷକୁ କବଳିତ କରିବାର ସମ୍ଭାବନା ରହିଛି । ‘ନେଚର ଜର୍ଣ୍ଣାଲ’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆସନ୍ତା ୫୦ ବର୍ଷ ଭିତରେ ଏସିଆ ଏବଂ ଆଫ୍ରିକାରେ ମହାମାରୀ ବ୍ୟପୀବାର ଅଧିକ ସମ୍ଭାବନା ରହିଛି । ଏହା ପୂର୍ବରୁ ଫ୍ଲୁ, ଏଚଆଇଭି, ଇବୋଲା ଏବଂ କରୋନା ଭଳି ମହାମାରୀର ହଟସ୍ପଟ ପାଲଟିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଆଗାମୀ ୫୦ ବର୍ଷରେ ପୃଥିବୀର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ତେବେ ୩ ହଜାରରୁ ଅଧିକ ଉଦ୍ଧ୍ୱର୍ ସ୍ତନ୍ୟପାୟୀ ପ୍ରାଣୀ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେବେ । ଏଥିଯୋଗୁଁ ଭୂତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ଏବଂ ଅନ୍ୟ ପଶୁମାନଙ୍କ ପାଖରୁ ଏହା ବ୍ୟପୀଯିବ । ପରବର୍ତ୍ତୀ ସମୟରେ ଏହା ମଣିଷକୁ ସଂକ୍ରମଣ କରିବ ।

Advertisment

ଏବେକା ସମୟରେ ମଣିଷକୁ ସଂକ୍ରମଣ କରିବା ଭଳି ପାଖାପାଖି ୧୦ ହଜାର ଭୂତାଣୁ ପଶୁଙ୍କ ଠାରେ ରହିଛି । ଏହା କରୋନା ଭଳି ମାହାମାରୀରେ ମଧ୍ୟ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୭୦ ସୁଦ୍ଧା କେବଳ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରୁ ୪ ହଜାର ଭୂତାଣୁ ବ୍ୟାପୀବ । ବାଦୁଡି ଠାରୁ ଅଧିକ ଭୂତାଣୁ ବ୍ୟାପୀପାରେ । କାରଣ ଏହି ପକ୍ଷୀ ସବୁ ପକ୍ଷିଙ୍କ ଅପେକ୍ଷା ଅଧିକ ଦୂର ପର୍ଯ୍ୟନ୍ତ ଉଡିପାରନ୍ତି ।

ଅଧ୍ୟୟନରେ ସାମିଲ ବୈଜ୍ଞାନିକ କହିଛନ୍ତି ଯେ, ଭବିଷ୍ୟତର ମହାମାରୀରୁ ବଞ୍ଚିବାକୁ ହୁଏ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେବ । କାରଣ ଜଳବାୟୁ ପରବର୍ତ୍ତନ ଏବଂ ଭୂତାଣୁ ସଂକ୍ରମଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏଥିପାଇଁ ଗ୍ରୀନ ହାଉସ୍ ଗ୍ୟାସ୍ ଏବଂ ଇନ୍ଧନ ବ୍ୟବହାରକୁ କମ କରିବା ନିହାତି ଜରୁରୀ । ନିକଟରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଏଥିରେ କେବଳ ମହାମାରୀ ନୁହେଁ ବରଂ ଏଥିଯୋଗୁଁ ଭବିଷ୍ୟତରେ ବିଶ୍ୱକୁ ହଜାର ହଜାର ସଂଖ୍ୟାରେ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିବ ।

ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନ ଗୁରୁତର ପ୍ରଭାବ ପକାଉଛି । ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁଁ କେତେବେଳେ ଅଦିନିଆ ବର୍ଷା ତ କେଉଁଠି ମରୁଡିର ହା ହା କାର ଦେଖିବାକୁ ମିଳୁଛି । ଫଳରେ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର । ପୂର୍ବ ଅପେକ୍ଷା ହ୍ରାସ ପାଇଛି ଅମଳ ପରିମାଣ । ବିଶ୍ୱର ଅନେକ ରାଷ୍ଟ୍ର ଏବେ ଖାଦ୍ୟାଭାବ ଦେଇ ଗତି କରୁଛନ୍ତି । ଖାଲି ଏତିକି ନୁହେଁ ସାରା ବିଶ୍ୱ ଆଡକୁ ମିଡିଆସିଛି ଭୟଙ୍କର ମାହାମାରୀ । ଏତିକି ନୁହେଁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ମାଡିଆସିବ ଅନେକ ପ୍ରାକୃତିକ ବିପଦ । ଏଥିପାଇଁ ହେଳା କଲେ ଭେଳା ବୁଡିବ ବୋଲି ସତର୍କ ବାଣୀ ଶୁଣାଇଛି ଜାତିସଂଘ ।