ଓଡିଶାରେ ପ୍ରତିବର୍ଷ ହେଉଛି ପ୍ରାକୃତିକ ଦୁର୍ବିପାକ ! ୭୫ ଭାଗ ଲଘୁଚାପ ଓଡିଶା ଉପକୂଳ ମୁହାଁ

୭୫ ଭାଗ ଲଘୁଚାପ ଓଡିଶା ଉପକୂଳ ମୁହାଁ

1,103
କନକ ବ୍ୟୁରୋ : ମୌସୁମୀ ସକ୍ରିୟ ଥିବା ବେଳେ ବଙ୍ଗୋପସାଗରରେ ଯେତେ ସବୁ ଲଘୁଚାପ ସୃଷ୍ଟି ହେଉଛି, ସେଥି  ମଧ୍ୟରୁ ଅଧିକାଂଶ ଓଡ଼ିଶାକୁ କ୍ଷତିଗ୍ରସ୍ତ କରୁଛି। ଗତ କିଛି ବର୍ଷର ପରିସଂଖ୍ୟାନ (ଫାଇଲିନ୍, ହୁଡହୁଡ୍, ତିତଲି ଏବଂ ଏବେ ଫନି ବ୍ୟତୀତ ପ୍ରତି ବର୍ଷ ଗୋଟିଏ ଦୁଇଟି ବାତ୍ୟା ଓଡ଼ିଶା ଉପକୂଳରେ ଘଷି ହୋଇ ଆଗକୁ ବଢୁଛି)। ସୂଚାଇ ଦେଉଛି ଯେ ବାତ୍ୟା କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲାଣି। ପାଣିପାଗ ବିଶେଷଜ୍ଞମାନଙ୍କର ମତରେ ବାତ୍ୟା ଓ ଲଘୁଚାପ କ୍ଷେତ୍ରରେ ଅତି ସମ୍ବେଦନଶୀଳ ରାଜ୍ୟ ବା ପ୍ରବେଶ ଦ୍ବାର ଭାବେ ଓଡ଼ିଶାକୁ ବିଚାର କରାଯାଇପାରେ।
‘ଫନି’ ମାଡ଼ରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶା ଏବେ ଘର ସଜାଡିବା ଆରମ୍ଭ କରୁଥିବା ବେଳେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତ ବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ। ସମୁଦ୍ର କୂଳରୁ ୧୦୦ କିଲୋମିଟର ଅଞ୍ଚଳକୁ ବିଚାରକୁ ନେଇ ଏହି ଜିଲ୍ଲା ସଂଖ୍ୟା ନିର୍ଣ୍ଣୟ କରାଯାଇଛି। ପୂର୍ବ ଉପକୂଳରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ, ପଣ୍ଡିଚେରି (କେନ୍ଦ୍ରଶାସିତ ଅଞ୍ଚଳ) ଏବଂ ପଶ୍ଚିମ ଉପକୂଳରେ ଗୁଜୁରାଟକୁ ବାତ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ରାଜ୍ୟ ବୋଲି କୁହାଯାଏ। ତେବେ ଏ ମଧ୍ୟରେ ବ୍ରହ୍ମପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଆନ୍ଧ୍ରର ମଚ୍ଛଲିପଟନମ୍ ବା ଇଷ୍ଟ ଗୋଦାବରି ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଜିଲ୍ଲା ବୋଲି କୁହାଯାଉଛି।
୧୯୦୦ ମସିହାରୁ ୨୦୦୦ ମସିହା ଅର୍ଥାତ୍ ୧୦୦ ବର୍ଷର ରିେପାର୍ଟକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ଅଧିକ ବାତ୍ୟା ସଂଘଟିତ ହେଉଛି।ଗୋଟିଏ ଏପ୍ରିଲ -େମ-ଜୁନ୍ ଓ ଦ୍ବିତୀୟଟି ଅେକ୍ଟାବର-ନଭେମ୍ବର-ଡିସେମ୍ବରରେ। ତେବେ ନଭେମ୍ବର ଓ ମେ’ ମାସରେ ଅଧିକ ବାତ୍ୟା ହୋଇଥାଏ। ୧୮୯୧ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ପରିସଂଖ୍ୟାନରୁ ଜଣାପ଼ଡୁଛି ଯେ ଏ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରାୟ ୩୦୮ଟି ବାତ୍ୟା (୧୦୩ଟି ଅତି ଭୟଙ୍କର ରୂପ ଧାରଣ କରିଥିଲା) ପୂର୍ବ ଉପକୂଳରେ ମାଡ଼ ହୋଇଛି। ଯେତେବେଳେ କି ପଶ୍ଚିମ ଉପକୂଳରେ ଏହାର ସଂଖ୍ୟା ମାତ୍ର ୪୮। ଗତ ୧୮ ବର୍ଷର ରିପୋର୍ଟ ଏହି ଧାରାରେ ରହିଛି ।।
ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା କଥା ହେଉଛି ଗତ କିଛି ବର୍ଷର ପରିସଂଖ୍ୟାନକୁ ଦେଖିଲେ ଜଣାପଡୁଛି, ଓଡ଼ିଶା ଗୋଟିଏ ଅତ୍ୟନ୍ତ ବାତ୍ୟା ପ୍ରବଣ ଅଞ୍ଚଳ ରାଜ୍ୟ ଭାବେ ପରିଗଣିତ। ପ୍ରତି ବର୍ଷ ହାରାହାରି ପ୍ରାୟ ଗୋଟିଏ ବାତ୍ୟା ଓଡ଼ିଶା ଉପକୂଳ ଛୁଉଁଛି। କୌତୂହଳର କଥା ହେଲା, ଆରବ ସାଗର ଓ ବଙ୍ଗୋପସାଗର ସମାନ ଅକ୍ଷାଂଶରେ ଅଛନ୍ତି ଓ ସୂର୍ଯ୍ୟଙ୍କ ଠାରୁ ସମାନ ପରିମାଣର ବିକିରଣ ପାଉଛନ୍ତି। ହେଲେ ବଙ୍ଗୋପସାଗରର କିନ୍ତୁ ଆରବସାଗର ତୁଳନାରେ ଅଧିକ ଉତ୍ତପ୍ତ। କେବଳ ସେତିକି ନୁହେଁ, ଏହି ଉତ୍ତାପ ହଟାଇବା ପାଇଁ ମଧ୍ୟ ବଙ୍ଗୋପସାଗର ସକ୍ଷମ ହୋଇପାରୁନାହିଁ ।।
ସମୁଦ୍ରର ଏହି ଉତ୍ତାପ, ବାୟୁମଣ୍ଡଳର ସ୍ଥିତି, ଆର୍ଦ୍ରତା, ମାଡେନ୍-ଜୁଲିଆନ୍ ଓସିଲେସନ୍ ( ନିୟମିତ ବ୍ୟବଧାନରେ ଅତ୍ୟଧିକ ବାଦଲ ସୃଷ୍ଟି) ଆଦି କାରଣରୁ ବିଷୁବ ରେଖା ନିକଟବର୍ତୀ ତଥା ଆଣ୍ଡାମାନ ନିକୋବର ଅଞ୍ଚଳରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇଛି , ଏହା ଆଗକୁ ବଢିବା ବେଳେ ତାକୁ ଯଥେଷ୍ଟ ବଳ ମିଳୁଛି, ଯାହା ଫଳରେ ବାରମ୍ବାର ବାତ୍ୟା ସଂଘଟିତ ହେଉଛି।
ତେବେ ବାତ୍ୟାର ଗତି ନିର୍ଣ୍ଣୟ ପଛର ବଡ଼ କାରଣ ହେଉଛି, ପୃଥିବୀର ଘୂର୍ଣ୍ଣନ ଓ ପବନର ଗତି। ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରୁଛି। ଏଣୁ ସଂଘଟିତ ବାତ୍ୟା ସିଧା ଗତି କରିବା ପରିବର୍ତେ ପୂର୍ବ ଉପକୂଳ ଆଡକୁ ଠେଲି ହୋଇଯାଉଛି । ଏହି ବାତ୍ୟା ଯଦି ଉତ୍ତର ପଶ୍ଚିମ ଦିଗକୁ ଢଳିଲା, ତେବେ ଓଡ଼ିଶା ଉପକୂଳ ଛୁଇଁବ ବା ମାଡ଼ ହେବ। ଅନ୍ୟଥା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କଲେ, ତାହା ଆନ୍ଧ୍ର ଉପକୂଳ ଛୁଇଁବ। ଅନ୍ୟଥା ସିଧା ଗତି କଲେ ଏହା ତାମିଲନାଡୁ ସ୍ପର୍ଶ କରିବ। ଏହା ହିଁ ଓଡ଼ିଶା ଉପକୂଳକୁ ଅଧିକ ବାତ୍ୟା ଟାଣି ଆଣିବାର ଏକ ପ୍ରମୁଖ କାରଣ ବୋଲି କହୁଛନ୍ତି ବେଜ୍ଞାନିକ। ‘ଫନି’ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ବାୟୁମଣ୍ଡଳର ୫ରୁ ୧୨ କିଲୋମିଟର ମଧ୍ୟର ସ୍ଥିତି ଏହାକୁ ଅଧିକ ଶକ୍ତିଶାଳୀ କରିବା ସହିତ ଓଡ଼ିଶା ଉପକୂଳକୁ ଟାଣି ଆଣିବାରେ ସହାୟକ ହୋଇଥିଲା ।
ସେହିପରି ମୌସୁମୀ ସମୟରେ ମଧ୍ୟ ଦେଖାଯାଇଛି ।ଯେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା ପୂରାପୂରି ଭାବେ ଦୁର୍ବଳ ହୋଇପାରୁନାହିଁ ଓ ଏହା ଥାଇଲାଣ୍ଡ ବା ଭିଏତନାମ ଦେଇ ଆଗକୁ ବଢିବା ବେଳେ ବଙ୍ଗୋପସାଗରରେ ଅବପାତ ଅବସ୍ଥାରେ ବା ଲଘୁଚାପ ସ୍ଥିତିରେ ପହଞ୍ଚୁଛି। ସେଠାରେ ବଳ ପାଇ ଏହା ଅଧିକ ଶକ୍ତିଶାଳୀ ହେଉଛି ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ମାଡ଼ ହେଉଛି । ମୌସୁମୀ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ମଧ୍ୟରୁ ପାଖାପାଖି ୭୫ ପ୍ରତିଶତ ଓଡ଼ିଶା ଉପକୂଳ ଛୁଉଁଛି। ଏଥିରୁ ଅେନକ ବନ୍ୟା କରାଇ ବିପର‌୍ୟ୍ୟୟ ଘଟାଉଛି େବାଲି ପାଣିପାଗ ବିଜ୍ଞାନୀ କହୁଛନ୍ତି ।

Comments are closed.