ବିଜେଡି ଟିକେଟ୍ ଘୋଷଣା ପରେ ନବୀନ ନିବାସରେ ନେତାଙ୍କ ଭିଡ! କିଏ ଇସ୍ତଫା ଦେଉଛି, ତ ପୁଣି କିଏ ପ୍ରତିଶୃତି ପାଇ ବୁଝିଯାଉଛି ।

549

କନକ ବ୍ୟୁରୋ : ଟିକେଟ୍ ଘୋଷଣା ପରେ ବିଜେଡିରେ ଆରମ୍ଭ ହୋଇଯାଇଛି ବିରୋଧ । ଟିକେଟ୍ ନପାଇ କ୍ଷୁବ୍ଧ ନେତା ଖୋଲାଖୋଲି ସ୍ୱର ଉତୋଳନ କରିଛନ୍ତି । ଦଳରେ କଂଗ୍ରେସ ନେତା ଯୋଗେଶ ସିଂହଙ୍କୁ ସାମିଲ ନେଇ ଅସନ୍ତୁଷ୍ଟ ଥିବା କୁସୁମ ଟେଟେ, ଟିକେଟ୍ ନପାଇବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେହିପରି କଳାହାଣ୍ଡି ସାଂସଦ ଥିବା ଅର୍କକେଶରୀ ଦେଓ, ଟିକେଟ୍ ନପାଇ ବିଜେଡି ଉପରେ କ୍ଷୁବ୍ଧ ଅଛନ୍ତି । ପାରଳାଖେମୁଣ୍ଡିରେ କେ.ନାରାୟଣ ରାଓଙ୍କ ଟିକେଟ୍ କଟିବାରୁ , ସେ ଦଳରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଛନ୍ତି । ସେପଟେ ୫ ଥରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବରଗଡ ସାଂସଦ ପ୍ରଭାସ ସିଂ ଏବଂ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ସୀସା, ବିଜେଡି ଟିକେଟ୍ ନପାଇଥିଲେ ମଧ୍ୟ ଦଳ ବିରୋଧରେ ଅସନ୍ତୋଷ ଜାହିର କରିନାହାଁନ୍ତି ।

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ବିଜେଡି ଟିକେଟ୍ ଘୋଷଣା ହେଲା ଆଉ ତାସହ ଆରମ୍ଭ ହୋଇଗଲା ବିରୋଧ । ଟିକେଟ୍ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡର ନେତ୍ରୀ କୁସୁମ ଟେଟେ । ଖୋଲାଖୋଲି ଦଳ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ସେହିଭଳି ପୁଣି ଥରେ କଳାହାଣ୍ଡି ଟିକେଟ୍ ଆଶାୟୀ ଥିଲେ ଅର୍କକେଶରୀ । ପତ୍ନୀ ମାଳବିକା ବି ଆଶା କରିଥିଲେ ଏଥର ଟିକେଟ୍ ମିଳିବ । ହେଲେ ଟିକେଟ୍ କଟିିଯିବାରୁ କ୍ଷୁବ୍ଧ ଅଛନ୍ତି ଅର୍କକେଶରୀ । ଏପରିକି କାହିଁକି ତାଙ୍କର ଟିକେଟ କଟିଲା ତାହା କାରଣ ସୁପ୍ରିମୋଙ୍କୁ ଚିଠି ଲେଖି ପଚାରିଛନ୍ତି ଅର୍କକେଶରୀ ।

ପାରଳାଖେମୁଣ୍ଡିରେ ମଧ୍ୟ ସମାନ ଅବସ୍ଥା । ଗତଥର ହାରିଥିଲେ, ହେଲେ ଏଥର ଟିକେଟ୍ ଆଶା କରିଥିଲେ ନାରାୟଣ ରାଓ । ତେବେ ପାରଳା ରାଜକୁମାରୀ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ଦେଲା । ଏହାପରେ ୬୦ ଜଣ ପ୍ରତିନିଧିଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି ନାରାୟଣ ରାଓ । ନିଜ ଇସ୍ତଫାପତ୍ରରେ ବିଜେଡି ଉପରେ ବର୍ଷିଛନ୍ତି ନାରାୟଣ । ଅନ୍ୟପଟେ କନ୍ଧମାଳରୁ ପ୍ରତ୍ୟୁଷାଙ୍କ ଟିକେଟ କଟିବା ପରେ ସେ ଦଳକୁ ଦେଇଛନ୍ତି ଅଲଟିମେଟମ । ଯଦି ତାଙ୍କୁ ନୟାଗଡରୁ ଟିକେଟ ନ ମିଳେ ତେବେ ସେ ଇସ୍ତଫା ଦେବେ ବୋଲି ସିଧାସଳଖ କହିଛନ୍ତି ପ୍ରତ୍ୟୁଷା ।

ଗୋଟିଏ ପଟେ ଟିକେଟ ନ ପାଇ ଦଳରୁ କିଛି ନେତା ଇସ୍ତଫା ଦେବା ସହ ବିଷ ଓଗାଳୁଥିବା ବେଳେ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କିନ୍ତୁ ଏମାନଙ୍କ ମଧ୍ୟରେ ବ୍ୟତିକ୍ରମ ସାଜିଛନ୍ତି । ୫ ଥର ବିଜେଡି ଟିକେଟ୍ ମିଳିଥିଲା । ବିଜୟୀ ବି ହୋଇଥିଲେ । ହେଲେ ଏଥର ମିଳିଲାନି । ତେବେ ଏଥିରେ ଅସନ୍ତୁଷ୍ଟ ନାହାଁନ୍ତି ବ୍ରହ୍ମପୁର ବିଧାୟକ । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଅଛି ଏବଂ ତାଙ୍କ ଉପରେ ସୁପ୍ରିମୋଙ୍କ ବିଶ୍ୱାସ ରହିଛି । ସେହିଭଳି ବରଗଡ ସାଂସଦ ପ୍ରଭାସ ସିଂ କହିଛନ୍ତି, ଟିକେଟ୍ ନିମିଳିଲେ କଣ ହେଲା, ସୁପ୍ରିମୋ ଯାହା ଦାୟିତ୍ୱ ଦେବେ , ସେ ନିଭାଇବେ । ସେହିପରି ଟିକେଟ୍ ନପାଇ ବି ଖୁସି ଜାହିର କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ସୀସା । ଏମାନଙ୍କୁ ବାଦ ଦେଲେ ବିଧାୟକ ଦେବରାଜ ସାହୁ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ ଟିକେଟ୍ ନମିଳିବା ନେଇ ଅସନ୍ତୁଷ୍ଟ ଅଛନ୍ତି । ହେଲେ ବିଦ୍ରୋହ କରିନାହାଁନ୍ତି । କିନ୍ତୁ ସଫା ସଫା କହିଛନ୍ତି ଅନ୍ୟ ଦଳକୁ ଯିବେନି କି ବିଜେଡି ପାଇଁ ପ୍ରଚାର କରିବେନି ।