ଓଡିଶାର ଏମିତି ଗାଁ: ଯେଉଁଠି ରୁହନ୍ତି ମାଳମାଳ ବାଦୁଡି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

346

କନକ ବ୍ୟୁରୋ: ହରର୍ ଫିଲ୍ମରେ ବାଦୁଡି ମାନଙ୍କର ଦୃଶ୍ୟ ଆପଣ ନିଶ୍ଚେ ଦେଖିଥିବେ । ପୁରୁଣା ଖଣ୍ଡର ମାନଙ୍କରେ ବାଦୁଡି ମାନଙ୍କ ଶବ୍ଦ ସତେ କେତେ ଭୟଙ୍କର ହୋଇଥାଏ ଟିକେ ଭାବନ୍ତୁ । ଫିଲ୍ମମାନଙ୍କରେ ବାଦୁଡି ମାନେ ବିକଟାଳ ଶବ୍ଦ କରି ଉଡିଯାଉଥିବାର ଦୃଶ୍ୟ ଅଥି ଭୟଙ୍କର ହୋଇଥାଏ । ଆଉ ଆପଣ ଦେଖୁଥିବା ଏହି ବାଦୁଡିମାନଙ୍କ ଦୃଶ୍ୟ କେଉଁ ଫିଲ୍ମର ନୁହେଁ । ଏହା ହେଉଛି ସତ ସତିକା ବାଦୁଡି ମାନଙ୍କ ବସା । ଆଉ ଏହି ବସା ଅଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ରାଜନଗର ଗାଁରେ ।

କେନ୍ଦ୍ରାପଡାର ଏହି ଗାଁରେ ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ବାଦୁଡି ବସା କରି ରହିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏହି ବାଦୁଡିମାନଙ୍କୁ ସୁରକ୍ଷା ଦେଉଛନ୍ତି ଗାଁ ଲୋକ । କାରଣ ଗାଁ ଲୋକଙ୍କର ବିଶ୍ୱାସ ରହିଛି । ଯଦି ବାଦୁଡି ରହିବେ ତେବେ ଗାଁରୁ ବିପଦ ଦୂର ହୋଇଯିବ ।

ରାଜନଗର ଗାଁରେ ଥିବା ଏକ ଭଙ୍ଗା ରାଜବାଟୀରେ ବସା ବାନ୍ଧିଛନ୍ତି ବାଦୁଡି । କେଉଁ କାଳେ ଏଠି ରାଜାରାଜୁଡା ଶାସନ କରୁଥିଲେ । କିନ୍ତୁ ଏବେ ଏହି ରାଜାବାଟୀ ବାଦୁଡିଙ୍କ ଦଖଲରେ । ଭଙ୍ଗା ରାଜବାଟୀ ଭିତରେ ହଜାର ହଜାର ବାଦୁଡି ଘର କରି ରହିଛନ୍ତି । ଗ୍ରାମବାସୀ ବାଦୁଡିଙ୍କୁ ସୁରକ୍ଷା ଦେଉଥିବାରୁ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି ।

ବାଦୁଡିମାନଙ୍କୁ କାଳେ କିଏ ମାରିଦେବ, କାଳେ କିଏ ସେଠାରୁ ଘଉଡାଇ ଦେବ ସେଥିପାଇଁ ଗ୍ରାମବାସୀମାନେ ପାଳି କରି ସେମାନଙ୍କୁ ଜଗି ରହିଥାନ୍ତି । ରାତିବେଳା ବାଦୁଡିମାନେ ଚରିବାକୁ ଯାଇଥାନ୍ତି, ହେଲେ ଦିନ ହେଲେ ସେମାନେ ରାଜବାଟୀକୁ ଫେରିଥାନ୍ତି । ବାଦୁଡିମାନଙ୍କୁ ଦେଖିବାକୁ ଲୋକମାନେ ରାଜବାଟୀକୁ ଆସିଥାନ୍ତି, ଆଉ ଏହି ଦୃଶ୍ୟକୁ ଫଟୋ ଉଠାଇ ନେଇ ଯାଆନ୍ତି ।

ବର୍ତ୍ତମାନ ଅନେକ ବିରଳ ପ୍ରଜାତିର ପକ୍ଷୀ ଲୋପ ପାଇବାରେ ଲାଗିଛନ୍ତି । ଆଉ ଏଭଳି ସମୟରେ ବାଦୁଡି ଭଳି ପକ୍ଷୀଙ୍କୁ ଆଶ୍ରୟ ଦେଇଛନ୍ତି ଗ୍ରାମବାସୀ । ଆଉ ସେମାନଙ୍କ ପ୍ରଜାତିକୁ ଲୋପ ହେବାରୁ ବଞ୍ଚାଉଛନ୍ତି । ନିଜ କର୍ମମୟ ଜୀବନରୁ ସମୟ ବାହାର କରି ପକ୍ଷୀମାନଙ୍କୁ ସୁରକ୍ଷା ଦେଇ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଗ୍ରାମବାସୀ ।