କନକ ବ୍ୟୁରୋ : ଅଣ୍ଡାଦାନ କରି ବଂଶବୃଦ୍ଧି ପାଇଁ ଉପକୂଳକୁ ଧାଇଁ ଆସଥିବା କଇଁଛଙ୍କ ଜୀବନ ନେଇଛି ମାଛଧରା ଟ୍ରଲର । ବାରଣ ସତ୍ୱେ କିଛି ଅମାନିଆ ମତ୍ସ୍ୟଜୀବୀଙ୍କ ପାଇଁ ପ୍ରତିଦିନ ଟ୍ରଲର ଫ୍ୟାନରେ ମାଡରେ ମରୁଛନ୍ତି ହଜାର ହଜାର ସଂଖ୍ୟାରେ ଏହି ଦୁର୍ଲଭ ଜୀବ । ପାରାଦୀପ ଉପକୂଳରେ ମଲା କଇଁଛକୁ ଦେଖି ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

Advertisment

ଅଲିଭରିଡଲେ କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ନଭେମ୍ବର ୧ରୁ ଏପ୍ରିଲ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି । ଉପକୂଳରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ନୋ ଫିସିଂ ଜୋନ ଘୋଷଣା କରିଛନ୍ତି ସରକାର । ହେଲେ ପାରାଦୀପ ବେଳଭୂମିର ଦୃଶ୍ୟ ଦେଖିବା ପରେ ସରକାରୀ ନିୟମର ଉଲଂଘନ କରାଯାଉଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ।

କଟକଣା ଅଂଚଳରେ ଟ୍ରଲର ଯୋଗେ ମାଛ ଧରା ସହ ସମୁଦ୍ର ପାଣି ପ୍ରଦୂଷଣ ଯୋଗୁଁ କଇଁଛଙ୍କ ମୃତ୍ୟୁ ହେଉଥିବା କହିଛନ୍ତି ପରିବେଶବିତ୍ । ଅନ୍ୟପଟେ କଇଁଚ ମୃତ୍ୟୁର ସଠିକ୍ କାରଣ ନଜାଣି କେବଳ ଟ୍ରଲର ମାଲିକଙ୍କୁ ଦୋଷ ନଦେବାକୁ କହିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ।

ଦୂର ସମୁଦ୍ରରୁ ଦେଶ ଜଳପଥରେ ଆସି ପାରାଦୀପ ମୁହାଁଣରେ ଜୀବନ ହାରିବାରୁ ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟା କମୁଥିବା ଆଶଙ୍କା କରାଯାଉଛି । ମୃତ କଇଁଛଙ୍କୁ ବାଲିରେ ପୋତିବା ପୂର୍ବରୁ ପୋଷ୍ଟମଟମ କରି ସେମାନଙ୍କ ମୃତ୍ୟୁ କାରଣ ସାମ୍ନାକୁ ଆଣିବାକୁ ଦାବି ହୋଇଛି ।