ଲକ୍ଷ୍ମୀବିଳାସ ପରେ ପୁଣି ଗୋଟିଏ ବ୍ୟାଙ୍କ ଉପରେ ରୋକ୍ ଲଗାଇଲା ରିଜର୍ଭ ବ୍ୟାଙ୍କ । ୬ ମାସ ଯାଏଁ ଜମାକାରୀ ଉଠାଇ ପାରିବେନି ଜମା ରାଶି । ଜାଣନ୍ତୁ କେମିତି କରିବେ ଦେଣ ନେଣ

298

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବଢି ଚାଲିଛି ବ୍ୟାଙ୍କିଙ୍ଗ ସଂକଟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, ୟେସ୍ ବ୍ୟାଙ୍କ, ଲକ୍ଷ୍ମୀବିଳାସ ବ୍ୟାଙ୍କ ପରେ ପୁଣି ଏକ ବ୍ୟାଙ୍କର କାରବାର ଉପରେ ରୋକ୍ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ । ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଥିବା ମନ୍ଥା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କାରବାର ଉପରେ କଟକଣା ଜାରି କରାଯାଇଛି । ଏହି କଟକଣା ମୁତାବକ ବ୍ୟାଙ୍କର ଗ୍ରାହକ ମାନେ ଟଙ୍କା ଜମା କରିବା, ଉଠାଣ କରିବା ବା ଋଣ କାରବାର କରିବା ଉପରେ ରିଜର୍ଭ ବ୍ୟାଙ୍କ୍ ୬ ମାସ ଯାଏ କଟକଣା ଜାରି କରିଛନ୍ତି ।

ମଙ୍ଗଳବାର ତଥା ୧୭ ତାରିଖ ଦିନ ରିଜର୍ଭ ବ୍ୟାଙ୍କ୍ ମନ୍ଥା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ବାବଦରେ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି କି ୧୭ ନଭେମ୍ବର ଠାରୁ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ଏହି ବ୍ୟାଙ୍କ କୌଣସି ପ୍ରକାର କାରବାର ଯଥା ଜମାରାଶି ଗ୍ରହଣ , ଗ୍ରାହକଙ୍କୁ ଟଙ୍କା ଉଠାଣର ସୁବିଧା , କି ଋଣ ରାଶି ଗ୍ରହଣ କି ନୂତନ ଋଣ ପ୍ରଦାନ କରିପାରିବ ନାହିଁ ।

ରିଜର୍ଭ ବ୍ୟାଙ୍କ ଏହା ପୂର୍ବରୁ ଘରୋଇ ବ୍ୟାଙ୍କ୍ ଲକ୍ଷ୍ମୀ ବିଳାସ ଉପରେ ବି ଏଭଳି କଟକଣା ଲଗାଇଥିଲା । ହେଲେ ଏହି କଟକଣା ଭିତରେ ଜମାକାରୀ ମାନେ ସେମାନଙ୍କ ଟଙ୍କା ଉଠାଣର ସୁବିଧା ପାଉଛନ୍ତି । ମାତ୍ର ଟଙ୍କା ଉଠାଣର ଏକ ସୀମା ନିର୍ଦ୍ଧାରଣ କରିଛନ୍ତି ରିଜର୍ଭ ବ୍ୟାଙ୍କ । ଯାହାକି ଆଗାମୀ ଏକ ମାସ ପର୍ଯ୍ୟନ୍ତ ଜଣେ ଗ୍ରାହକ ଦୈନିକ ଅତିବେଶିରେ ୨୫ ହଜାର ଟଙ୍କା ଉଠାଇ ପାରିବ । ୨୫ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଚାହୁଁଥିବା ଗ୍ରାହକଙ୍କୁ ରିଜର୍ଭ ବ୍ୟାଙ୍କର ଅନୁମତି ଆବଶ୍ୟକ ରହିଛି ।

୯୪ ବର୍ଷ ପୁରୁଣା ଏହି ଲକ୍ଷ୍ମୀବିଳାସ ବ୍ୟାଙ୍କ ୧୯୨୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ସାରା ଦେଶର ୧୬ ଟି ରାଜ୍ୟରେ ଏହି ବ୍ୟାଙ୍କର ୫୬୬ ଟି ଶାଖା ରହିଛି । ଏହା ସହ ୯୧୮ ଟି ଏଟିଏମ୍ କାଉଣ୍ଟର ରହିଛି ।

ଗୋଟିଏ ପଟେ ବ୍ୟାଙ୍କ ଗୁଡିକ ଦେବାଳିଆ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ବ୍ୟାଙ୍କରୁ ହଜାର ହଜାର କୋଟିର ଋଣ ନେଇ ବଡ ବଡ ଶିଳ୍ପପତି ମାନେ ବିଦେଶରେ ଅୟସ ଆରମରେ କାଳାତିପାତ କରୁଛନ୍ତି । ଏଠି କିନ୍ତୁ ବ୍ୟାଙ୍କ ସରକାରଙ୍କର ଭାବି ସାଧାରଣ ଜନତା ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ଜମା ରଖି ଭକୁଆ ବନୁଛନ୍ତି ।