କନକ ବ୍ୟୁରୋ : ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ଏହି ବୈଠକରେ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଗୁଜରାଟ ଏବଂ କେନ୍ଦ୍ର ଶାସିତ ଅଂଚଳ ଦାଦରା ନଗର ହାବେଳୀ, ଡାମନ ଡିଓର ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ସେହିପରି ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବା ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇପାରନ୍ତି । ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି । ତେଣୁ ସଂକ୍ରମଣକୁ କିଭଳି ରୋକି ହେବ ସେ ନେଇ ଏହି ବୈଠକରେ ମନସୁଖ ମାଣ୍ଡଭ୍ୟ ଆଲୋଚନା କରିବେ । ଏଥିସହ ଟିକାକରଣକୁ ଆହୁରି ଜୋରଦାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିପାରନ୍ତି ।
ଦେଶରେ କରୋନା ସ୍ଥିତି ସମୀକ୍ଷା ବୈଠକରେ ଟିକାକରଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଓ କୋଭିଡ ଗାଇଡଲାଇନ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଅପିଲ କରିଛନ୍ତି । ଏଥିସହ ସ୍ୱଳ୍ପ ଲକ୍ଷଣ ଥିବା ଓ ଲକ୍ଷଣ ନଥିବା ଆକ୍ରାନ୍ତମାନେ ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସ୍ଥାନଗୁଡ଼ିକୁ ଅନୁଧ୍ୟାନ ସହ ଆବଶ୍ୟକ ପଡ଼ିଲେ କଂଟେନମେଂଟ ଜୋନ କରିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକରୁ ଅଧିକ ପରୀକ୍ଷା ଓ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ପିଲାଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ସହ ଅଧିକାରୀମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପିଏମଓ ପକ୍ଷରୁ କୁହାଯାଇଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପୂର୍ବରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ ।