ଦାୟିତ୍ୱ ନେଲେ ମନସୁଖ ମଣ୍ଡଭିୟ : ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନେଲେ ଦାୟିତ୍ୱ; କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ହେବ ବଡ଼ ଚ୍ୟାଲେଂଜ

ସେପଟେ, ଦାୟିତ୍ୱ ନେଲେ ଅନୁରାଗ ଠାକୁର, ରାମଚନ୍ଦ୍ର ସିଂହ ଓ ଭାରତୀ ପାୱାର

133

କନକ ବ୍ୟୁରୋ : କରୋନାର ଲଢେଇ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପାଇଛି ନୂଆ ମନ୍ତ୍ରୀ । ମନସୁଖ ମଣ୍ଡଭିୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆଦିଲ୍ଲୀ ନିର୍ମାଣ ଭବନ ସ୍ୱାସ୍ଥ୍ୟମନ୍ତ୍ରାଳୟ କାର୍ଯ୍ୟାଳୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମଣ୍ଡଭିୟଙ୍କୁ ମୋଦି ନିଜ ଟିମରେ ସାମିଲ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ବିରୋଧୀଙ୍କ ସର୍ବାଧିକ ଟାର୍ଗେଟ ହୋଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କରୋନା ପରିଚାଳନାରୁ ଆରମ୍ଭ କରି ମୃତ୍ୟୁ ତଥ୍ୟ ଲୁଚାଇବା ଓ ଟିକାକରଣରେ ଅବ୍ୟବସ୍ଥା ନେଇ ବାରମ୍ବାର ଡାକ୍ତର ହର୍ଷବର୍ଦ୍ଧନଙ୍କ ଉପରକୁ ଅଙ୍ଗୁଳି ଉଠିଛି । ଦେଶରେ ୧୮ରୁ ୪୪ ବର୍ଷର ନାଗରିକଙ୍କ ଟିକାକରଣ ଆରମ୍ଭ ହେବା ପରେ ହରଡଘଣାରେ ପଡିଯାଇଥିଲେ ମୋଦି ସରକାର । ଟିକା ଅଭାବ ନେଇ ଅଭିଯୋଗ ଭିତରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ତେଣୁ ସ୍ୱାସ୍ଥ୍ୟ ବିଭାଗରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ହର୍ଷବର୍ଦ୍ଧନଙ୍କୁ ବଦଳାଇ ପ୍ରଧାନମନ୍ତ୍ରୀ ମୋଦି ମନସୁଖ ମଣ୍ଡଭିୟଙ୍କୁ ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି । ମନସୁଖ ଗୁଜରାଟ କୃଷି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ପାଠ ପଢ଼ିବା ସହ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ରାଜ୍ୟ ସଡ଼କ ପରିବହନ, ଜାହାଜ ମନ୍ତ୍ରାଳୟ, ସାର ଓ ରସାୟନିକ ବିଭାଗର ମନ୍ତ୍ରୀ ଥିଲେ । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ଥିଲେ ମନସୁଖ ।

ସେହିପରି ଦାୟିତ୍ୱ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ଅନୁରାଗ ଠାକୁର । ପ୍ରକାଶ ଜାଭେଡକରଙ୍କୁ ଅବ୍ୟାହତି ଦେଇ ଅନୁରାଗଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୋଦୀ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ସେହିପରି ଜେଡିୟୁର ବରିଷ୍ଠ ନେତା ଆରସିପି ସିଂଙ୍କୁ ଇସ୍ପାତ ମନ୍ତ୍ରାଳୟ ମିଳିବା ପରେ ସେ ମଧ୍ୟ ଆଜି ଦାୟିତ୍ୱ ନେଇଛନ୍ତି । ଭାରତୀ ପ୍ରବୀଣ ପାୱାରଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ସେ ମନ୍ତ୍ରାଳୟରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସହାୟତା କରିବେ ।