ଶବ୍ଦ ପ୍ରଦୂଷଣ ହେବନି ବୋଲି ବିନା ବାଜା, ବିନା ବାଣରେ ଗଲା ବରଯାତ୍ରୀ । ପରିବେଶ ସୁରକ୍ଷା ସହ ପରମ୍ପରାକୁ ବଞ୍ଚାଇ ରଖିଲେ ବର ।

212

କନକ ବ୍ୟୁରୋ: ନା ବାଜୁଥିଲା ବାଜା, ନା ଫୁଟୁଥିଲା ବାଣ । ବିନା ବାଜା, ବିନା ବାଣରେ ଆଗେଇ ଚାଲିଥିଲା ବରଯାତ୍ରୀ । ରାସ୍ତାରେ ଚାଲୁଥିଲେ ବର, ସାଙ୍ଗରେ ଥିଲେ ବରଯାତ୍ରୀ । ଶଙ୍ଖ, ହୁଳହୁଳି ଶବ୍ଦରେ ସମସ୍ତେ କନିଆଁ ଘର ଅଭିମୁଖେ ପାଦ ବଢାଉଥିଲେ । ତେବେ ଡିଜେ ଡ୍ୟାନସର ଜମାନାରେ, ବାଜାବାଣର ଯୁଗରେ ଏମିତି ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏ ନିଆରା ବାହାଘର ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ ।

ଶବ୍ଦ ପ୍ରଦୂଷଣ ହେବନି ବୋଲି, ପରିବେଶ ସୁରକ୍ଷିତ ରହିବ ବୋଲି ନିଜ ବାହାଘରକୁ ଶୃଙ୍ଖଳିତ ଢଙ୍ଗରେ କରିଛନ୍ତି ବର । ଗାଡି ନୁହେଁ ବରଂ ପାଦରେ ଚାଲି ଚାଲି କନିଆଁ ଘରେ ପହଞ୍ଚିଛନ୍ତି । ସମାଜ ପ୍ରତି ଥିବା ଜଣେ ମଣିଷର କର୍ତ୍ତବ୍ୟ କରିବାକୁ ଯାଇ, ଯେତିକି ପାରିବେ ସେତିକି କରିଛନ୍ତି ନବ ବିବାହିତ ଜ୍ଞାନରଞ୍ଜନ ।

ତେବେ କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ବନ୍ଧକଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର । ଗାଁର କୈଳାଶ ଚନ୍ଦ୍ର ବେଉରାଙ୍କ ସାନପୁଅ ଜ୍ଞାନରଂଜନ ବେଉରା ନିଆରା ଢଙ୍ଗରେ ବିବାହ କରି ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ଜ୍ଞାନରଂଜନଙ୍କ ବିବାହ ମହାକାଳପଡା ଚଢେଇଗୁଆଁ ଗାଁର କନକପ୍ରଭାଙ୍କ ସହ ସ୍ଥିର ହୋଇଥିଲା । ପରିବେଶର ସୁରକ୍ଷା ପାଇଁ ପୁଅର ବାହାଘର ନିରାଡମ୍ବର ଭାବେ କରିବାକୁ ନିଷ୍ପତ୍ତି ହୋଇଥିଲା ଆଉ ପରେ ବିବାହ ପାଇଁ ବର ସହିତ ମାର୍କୁଣ୍ଡି ଏବଂ ବରଯାତ୍ରୀ ମଧ୍ୟ ଚାଲି ଚାଲି ପ୍ରୋସେସନରେ ବହାରିଥିଲେ ।

ଆଜିର ବ୍ୟୟ ବହୁଳ ବାହାଘରରେ ଅଯଥା ଖର୍ଚ୍ଚ ନକରି ସାଧାସିଧା ବାହାଘରରେ ବିଶ୍ୱାସ କରନ୍ତି ଜ୍ଞାନରଞ୍ଜନ ଆଉ ଶଙ୍ଖ, ହୁଳହୁଳି ସହ ପାଦରେ ଚାଲି ଚାଲି ୪ କିଲୋମିଟର ଗଲେ ବରଯାତ୍ରୀ । ଆଧୁନିକ ଯୁଗରେ ପରମ୍ପରା ମରି ମରି ଆସୁଥିବା ବେଳେ ନିଜ ସଂସ୍କୃତି ଓ ପରମମ୍ପରାକୁ ରକ୍ଷା କରିବା ସହ ପରିବେଶ ପାଇଁ ନେଇଥିବା ବଡ ନିଷ୍ପତ୍ତି ସମସ୍ତଙ୍କୁ ଖୁସି କରାଇଛି । ସବୁଠାରୁ ବଡ କଥା ହେଉଛି ବର ଯେଉଁ ଟଙ୍କାରେ ବାଜାବାଣ ଫୁଟାଇ ବରଯାତ୍ରୀ ନେଇଥାନ୍ତେ ସେହି ଟଙ୍କାକୁ ସେ ଗରିବଙ୍କ ମଧ୍ୟରେ ବାଣ୍ଟିଛନ୍ତି ।

ସତରେ ପରମ୍ପରା ସହ ପରିବେଶର ସୁରକ୍ଷା ଦାୟିତ୍ୱ ନେଇ ନିଜ ବାହାଘରକୁ ସଦା ସ୍ମରଣୀୟ ରଖିଥିବା ବର ଜ୍ଞାନରଞ୍ଜନଙ୍କ ଏ ମହତ ଉଦ୍ଦେଶ୍ୟ ପୁନଶ୍ଚ ପୃଥିବୀ ଗଢି ତୋଳିବାରେ ବଡ ଭୂମିକା ନିଭାଇବ । ଯେତେବେଳେ ଡିଜେ ମୁଜିକ, ରୋଶଣୀ ବାଣର କମ୍ପନରେ ପରିବେଶ ପ୍ରକମ୍ପିତ ହୁଏ, ଶବ୍ଦ ପ୍ରଦୂଷଣ ହୁଏ ତାହାକୁ ରୋକିବାକୁ ଏମିତି ନିଷ୍ପତ୍ତି ହିଁ ଆମ ସମାଜକୁ ସୁସ୍ଥ ରଖିପାରିବ । ପୁନଶ୍ଚ ପୃଥିବୀ ଗଢିବାରେ ସହାୟ ହେବ ।