ମହାବଳୀ ଓ ମହାଦେବ ! ବିଜ୍ଞାନ ଓ ଅନ୍ଧବିଶ୍ୱାସ ଭିତରେ କେତେ ଆଗେଇଛି ଭାରତ

153

ଗତକାଲି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ୨ ନମ୍ବର ଲଂଚପ୍ୟାଡରୁ ମହାକାଶକୁ ପଠାଯାଇଛି ଭାରତୀୟ ଉପଗ୍ରହ ଜିସାଟ୍ ୧୯ । ଯାହା ମହାକାଶ ବିଜ୍ଞାନରେ ରିଚିଛି ଏକ ସ୍ୱର୍ଣ୍ଣିମ ଇତିହାସ । ଜିସାଟ୍ ୧୯ କୁ ମହାବଳୀ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ସେହି ସମୟରେ ଦେଖିବାକୁ ମିଳିଛି ଏହାର ଠିକ୍ ଓଲଟା ଦୃଶ୍ୟ । ପଡୋଶୀ ତେଲେଙ୍ଗାନାରେ ଅନ୍ଧବିଶ୍ୱାସର ଅନ୍ଧାରଗଳିରେ ଖୋଜା ହେଉଥିଲା ଶିବଲିଙ୍ଗ । ସ୍ୱପ୍ନ ଦେଖି ଶିବଲିଙ୍ଗ ପାଇବା ପାଇଁ ୧୫ ଫୁଟ୍ ରାସ୍ତା ଖୋଳି ପକାଇଛନ୍ତି ଜଣେ ବ୍ୟକ୍ତି । ବିଜ୍ଞାନ ଏବଂ ଅନ୍ଧବିଶ୍ୱାସର ଏହି ଦୁଇଟି ଚେହେରା ଏବେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାକୁ କରାଇଛି ଚର୍ଚ୍ଚିତ ।

ସୂଚନା ଅନୁସାରେ, ମନୋଜ ନାମକ ଜଣେ ବ୍ୟକ୍ତି ସ୍ୱପ୍ନରେ ଦେଖିଥିବା ଶିବ ଲିଙ୍ଗକୁ ପାଇବା ପାଇଁ ଖୋଳି ପକାଇଛନ୍ତି ୧୫ ଫୁଟ୍ ରାସ୍ତା । ତେବେ ଭଗବାନ୍ ତ ଦେଖା ଦେଲେନି ହେଲେ ଏବେ ଦେଖିବାକୁ ପଡିପାରେ ଜେଲର କାଳ କୋଠରୀ । ଘଟଣା ଘଟିଛି ହାଇଦ୍ରାବାଦଠାରୁ ୮୦ କିଲୋମିଟର ଦୂର ଜନଗାଁରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ମନୋଜ ଯେତେଥର ସେହି ଜାଗାକୁ ଆସୁଥିଲେ ସେତେଥର ସଜ୍ଞାହୀନ ହୋଇ ପଡିଯାଉଥିଲେ । କାରଣ ସେ ସ୍ୱପ୍ନରେ ଦେଖିଥିଲେ ସେଠାରେ ୧୦ଫୁଟ୍ ତଳେ ଏକ ଶିବ ଲିଙ୍ଗ ଅଛି ।

ତେବେ ଗତ ତିନି ବର୍ଷ ହେବ ଏହି ଶିବ ଲିଙ୍ଗ ପାଇବା ପାଇଁ ମନୋଜ ସେଠାରେ ଖୋଳିବାକୁ ଚାହୁଁଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସମର୍ଥନ ପାଇପାରିନଥିଲେ । ତେଣୁ ପ୍ରତ୍ୟେକ ସୋମବାର ଉକ୍ତ ସ୍ଥାନରେ ପୂଜା କରିବା ଆରମ୍ଭ କରିଥିଲେ । ଶେଷରେ ସ୍ଥାନୀୟ ଲୋକମାନଙ୍କ ସହ ରାଜନେତାଙ୍କୁ ବୁଝାଇବାରେ ସମର୍ଥ ହେବା ସହ ଏକ ଜେସିବି ଆଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ୧୦ ଫୁଟ୍ ଯାଏଁ ଖୋଳିବା ପରେ ମଧ୍ୟ ଯେମିତି କିଛି ନମିଳିଲା ସେ ଆହୁରି ୫ ଫୁଟ୍ ଅଧିକ ଖୋଳି ପକାଇଲେ । ହେଲେ କିଛି ମିଳିନଥିଲା ।

ସେପଟେ ସ୍ଥାନଟି ରାଜପଥ ୧୬୩ ପାଖରେ ହୋଇଥିବାରୁ ନାହିଁ ନଥିବା ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ଏବେ ବେଆଇନ୍ ଖନନ କରିବା ଅଭିଯୋଗରେ ମନୋଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।