ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା : ଗତବର୍ଷ ଅକ୍ଟୋବରରେ ଗ୍ରହଣ କରିଥିଲେ କାର୍ଯ୍ୟଭାର, ମୁର୍ମୁ ପରବର୍ତୀ ସିଏଜି ହେବାର ସମ୍ଭାବନା; ମନୋଜ ସିହ୍ନା ହେବେ ନୂଆ ଉପରାଜ୍ୟପାଳ

311

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ହେବେ ମନୋଜ ସିହ୍ନା । ଗୀରିଶ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ମନୋଜ ସିହ୍ନା ମୋଦି ସରକାରଙ୍କ ପ୍ରଥମ ପାଳିରେ ଯୋଗାଯୋଗ ଓ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ । ଗତକାଲି ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇ ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ ଗୀରିଶ ମୁର୍ମୁ । ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଂଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ମୁର୍ମୁ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ୩୭୦ ଧାରା ହଟାଇ ଜମ୍ମ- କାଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ ।

ଫଳରେ ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା । ଏହାପରେ ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ । ଗତବର୍ଷ ଅକ୍ଟୋବରରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ ।