କନକ ବ୍ୟୁରୋ: ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ଭିତରେ, ଏବେ ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିଛି ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ୍ କରିବା ଦାବି ମଧ୍ୟ ଉଠିଲାଣି । ଆଉ ଏହାରି ଭିତରେ ଫିଲ୍ମର ଲେଖକ ମନୋଜ ମୁନ୍ତୋଶିର ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ମିଳିଥିବା ସୂଚନା ମୁତାବକ, ମନୋଜ ମୁନ୍ତୋଶିର ନିଜକୁ ଅସୁରକ୍ଷିତ ମନେ କରିବା ପରେ, ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ଯାହା ପରେ ମୁମ୍ବାଇ ପୋଲିସ ତାଙ୍କୁ ସୁରକ୍ଷା ଦେବା କଥା ଚିନ୍ତା କରୁଛି ।

Advertisment

ସୂଚନାଯୋଗ୍ୟ ଯେ, ପ୍ରଭାସ, କ୍ରିତୀ ସନନ୍ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ଆଦିପୁରୁୁଷ ଜୁନ୍ ୧୬ରେ ରିଲିଜ୍ ହେଇଛି । ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରୁଥିଲେ ବି, ଫିଲ୍ମର ଡାଏଲଗକୁ ନେଇ ବିବାଦ ଠିଆ ହେଇଛି । ଫିଲ୍ମରେ ଥିବା କିଛି ଡାଏଲଗକୁ ନେଇ ଦର୍ଶକମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ କିଛି ରାଜ୍ୟରେ ଦାବି ମଧ୍ୟ ହେଲାଣି ।

ଅନ୍ୟପଟେ ଫିଲ୍ମ ଆଦିପୁରୁଷ ହିନ୍ଦୁ ଭାବନାକୁ କ୍ଷତି ପହଞ୍ଚାଇଛି ବୋଲି ଆରୋପ କରାଯାଉଛି । ସନ୍ଥ ସମାଜ ଏହି ଫିଲ୍ମକୁ ଘୋର ବିରୋଧ କରୁଛନ୍ତି । ଖାଲି ସେତିକି ନୁହେଁ ବିଜେପି ସମେତ ତମାମ ରାଜନୈତିକ ଦଳର ନେତାମାନେ ମଧ୍ୟ ଫିଲ୍ମକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, କାହାର ଭାବନାକୁ କ୍ଷତି ପହଞ୍ଚାଇବାକୁ ଅନୁମତି ଦିଆଯିବନି ।