କନକ ବ୍ୟୁରୋ : ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ରଙ୍କୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା । ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ସେ ବଲାଙ୍ଗୀର ଆସନ ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ତଳେ କଂଗ୍ରେସରେ ଯୋଗଦେଇଥିବା ମନୋଜ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ସୁଖ ବୁଝୁଛନ୍ତି । ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି । ଏପରିକି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଇଛନ୍ତି ସେନେଇ ଅବଗତ କରୁଛନ୍ତି । ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀ ଗୁଡିକରେ ବୁଲୁଥିବାରୁ ମନୋଜଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ରାଜନୀତି ମୈଦାନରେ ଦେଖିବାକୁ ମିଳିପାରେ ।
ମନୋଜଙ୍କ ସାଂସଦ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ମନୋଜ ଟିକେଟ୍ ପାଇବା ନେଇ ଆଶାବାଦୀ ଅଛନ୍ତି । ସେହିଭଳି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ମନୋଜଙ୍କ ସମର୍ଥନରେ ବୟାନ ରଖୁଛନ୍ତି । ତେଣୁ ନରସିଂହଙ୍କ ପରାମର୍ଶକ୍ରମେ ମନୋଜଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ମନୋଜ ମିଶ୍ର କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।