କନକ ବ୍ୟୁରୋ: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଏହି ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏକ ମଧ୍ୟବିତ ପରିବାରର ମନୋଜ ମିଶ୍ର କେମିତି ଏତେ ବଡ ରାକେଟର କିଙ୍ଗ ପିନ୍ ହେଲା ତାର କାହାଣୀ ମଧ୍ୟ ଚକିତ କଲା ଭଳି ।

Advertisment

ମନୋଜ ମିଶ୍ର । ବଲାଙ୍ଗୀର ନକଲି ସାର୍ଟିଫିକେଟ ର୍ୟାକେଟର ମାଷ୍ଟରମାଇଣ୍ଡ । କୋଚିଂ ସେଂଟର କରି, ନକଲି ସାର୍ଟିଫିକେଟ ର୍ୟାକେଟ ଚଳାଉଥିବା ପ୍ରମାଣ ମିଳିବା ପରେ ଗିରଫ ହୋଇ ଜେଲ ଯାଇଛନ୍ତି ଏହି ଧୃତ ବ୍ୟକ୍ତି ଜଣଙ୍କ । ଆଉ ଧରାପଡିବା ପରେ, ଚର୍ଚ୍ଚାକୁ ଆସିଛି ମନୋଜଙ୍କ ଜାଲ ସାର୍ଟିଫିକେଟ ର୍ୟାକେଟର ପୂରା କାହାଣୀ । ସୂଚନା ଅନୁସାରେ, ବାପାଙ୍କ ଅବସର ପରେ ଟ୍ୟୁସନ କରି ପରିବାର ଚଳାଇବାକୁ ସଂଘର୍ଷ କରୁଥିଲେ ମନୋଜ । ୧୯୯୮ରେ ମନୋଜ ଓ ତାଙ୍କ ୩ ସାଙ୍ଗ ମିଶି କୋଚିଂ ସେଂଟର ଖୋଲିଥିଲେ । ଧିରେ ଧିରେ କୋଚିଂ ସେଂଟରର କାୟା ବଢ଼ିଥିଲା । ୨୦୧୬ରେ ଆଲୋକ ରଞ୍ଜନ ଉଦଗାତା କୋଚିଂ ସେଂଟରରେ ଚାକିରି କରିଥିଲେ । ଏମସିଏ କରିଥିବା ଆଲୋକ କଂପୁଟର ଇନଷ୍ଟ୍ରକ୍ଟର ଭାବେ ଯୋଗ ଦେଇଥିଲେ । ତାପରେ ଆଲୋକ ଉଦଗାତା ଓ ମନୋଜ ମିଶି ଆରମ୍ଭ କରି ଦେଇଥିଲେ ଜାଲ ସାର୍ଟିଫିକେଟର ର୍ୟାକେଟ ।

କଂପୁଟରରେ ଅବିକଳ ସାର୍ଟିଫିକେଟର ନକଲ କରୁଥିଲେ । ଏ ହେଉଛି ଜବତ ହୋଇଥିବା କିଛି ଜାଲ ସାର୍ଟିଫିକେଟ । ଏହି ସବୁ ଜାଲ ସାର୍ଟିଫିକେଟ ମନୋଜଙ୍କ କୋଚିଂ ସେଂଟରରୁ ଜବତ କରାଯାଇଛି । ଯାହାକୁ ଦେଖିଲେ ନକଲି ବୋଲି ସହଜରେ ଜାଣିବା କଷ୍ଟକର । ଆଉ ଏହିଭଳି ନକଲି ସାର୍ଟିଫିକେଟ ଦେଇ ପିଲାମାନଙ୍କଠାର ଲକ୍ଷ ଲକ୍ଷ ଟଙ୍କା ଦାବି କରୁଥିଲେ ଠକ ମନୋଜ । ପିଲାମାନଙ୍କୁ ଓ ସେମାନଙ୍କ ଅଭିଭାବକଙ୍କୁ କହୁଥିଲେ ସାର୍ଟିଫିକେଟ ପୂରା ଅସଲି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନୋଜର ଟାର୍ଗେଟରେ ଥିଲେ କମ୍ ଶିକ୍ଷିତ ଓ ଚାକିରି ଆଶାୟୀ । ପେଶାଗତ ଅପରାଧୀଙ୍କୁ ବି ଦେଉଥିଲେ ନକଲି ସାର୍ଟିଫିକେଟ୍ । ଏମାନେ ମାଟ୍ରିକ୍ ସମେତ ବିଜ୍ଞାନ, ବାଣିଜ୍ୟ, କଳା ଆଦି ବିଷୟରେ ଯୁକ୍ତ ଦୁଇ, ସ୍ନାତକ ଆଦି ନକଲି ସାର୍ଟିଫିକେଟ୍ ଦେଇଥିଲେ ।