ପେଶା ଅଧ୍ୟାପକ, କିନ୍ତୁ ନିଶା ଠକେଇ: ଭିଜିଲାନ୍ସ ଏସପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ

167

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ଥିଲା ପରକୁ ଚୂନ ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହେଲେ ଅଧ୍ୟାପକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ସକ୍ରିୟ ଭାବେ ଭିଜିଲାନ୍ସ ଚଢାଉ କରିଛି । ଆଉ ଏହାର ଫାଇଦା ନେଇ ନକଲି ଭିଜିଲାନ୍ସ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତି । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ନକଲି ଭିଜିଲାନ୍ସ ଏସପି । ଗତବର୍ଷ ମେ ୩୧ ତାରିଖରେ ରାୟଗଡା ଅଂଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ଅଭିଯୋଗ ଆଣିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରାଯାଇଛି । ଏତଲାକାରୀ ଜଣେ ଠିକାଦାର ହୋଇଥିବାରୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଅଭିଯୁକ୍ତ ଭିଜିଲାନ୍ସ କାର୍ଯ୍ୟାଳୟର ନିର୍ମାଣ କାମ ହେବ ବୋଲି କହିଥିଲେ । ବିଶ୍ୱାସ ଜନ୍ମାଇବା ପାଇଁ କିଛି ଡକ୍ୟୁମେଂଟ ମଧ୍ୟ ଦେଖାଇଥିଲେ । ତେଣୁ ପ୍ରଥମେ ଅନ୍ ଲାଇନରେ ୫ଲକ୍ଷ ଓ ପରେ ୨ଲକ୍ଷ ୫୦ ହଜାର ଟଂକା ଦେଇଥିଲେ ଠିକାଦାର । ଟଂକା ନେଇଯିବା ପରେ ଆଉ ଧରା ଛୁଆଁ ଦେଇନଥିଲେ ଠକ ମନୋଜ ମାଝୀ । ଏ ନେଇ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜର ମନସ୍ତତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତଙ୍କ ନାମରେ ଟଂକା ଠକେଇ ନେଇ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଂଜାମ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଙ୍କ ଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଂକା ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ କରିଛି ।