ମନୋଜ ବାଜପେୟୀଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବାପାଙ୍କୁ ଦେଖିବାକୁ ସୁଟିଂ ଛାଡି ଦିଲ୍ଲୀରେ ପହଞ୍ଚିଲେ ମନୋଜ ।

92

କନକ ବ୍ୟୁରୋ : ଲୋକପ୍ରିୟ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀ ଗୁରୁତର ଅସୁସ୍ଥ । ୮୩ ବର୍ଷୀୟ ରାଧାକାନ୍ତଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଏହି ଖବର ଜାଣିବା ପରେ କେରଳରେ ଅଧାରୁ ସୁଟିଂ ଛାଡି ଦିଲ୍ଲୀରେ ପହଞ୍ଚିଛନ୍ତି ମନୋଜ । ଏବେ ମନୋଜ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ କେରଳରେ ସୁଟିଂ କରୁଛନ୍ତି ।

ଚଳିତବର୍ଷ ଜୁନ୍ ମାସରେ ମଧ୍ୟ ମନୋଜଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସେତେବେଳେ ‘ଫ୍ୟାମିଲି ମ୍ୟାନ୍-୨’ ର ସୁଟିଂ ସାରି ଏହାର ପ୍ରମୋଶନରେ ବ୍ୟସ୍ତ ଥିଲେ ମନୋଜ । କିନ୍ତୁ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଦେଖା କରିବାକୁ ପହଞ୍ଚିଥିଲେ ମନୋଜ । ସେତେବେଳେ ମନୋଜ କହିଥିଲେ, ଫିଲ୍ମ ତ ସବୁ ବେଳେ ହେବ କିନ୍ତୁ ବାପାଙ୍କ ସହ ସମୟ ବିତାଇବା ସବୁଠୁ ବଡ ସମ୍ପତ୍ତି ।

ବିହାରରେ ଜନ୍ମିତ ମନୋଜ ୧୭ ବର୍ଷ ବୟସରେ ଦିଲ୍ଲୀ ଚାଲି ଆସିଥିଲେ, ଆଉ ତା ପରେ ମୁମ୍ବାଇକୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୩ଟି ଜାତୀୟ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ୫୨ ବର୍ଷୀୟ ଅଭିନେତା ମନୋଜ ଏବେ ଓଟିଟି ପ୍ଲାଟଫର୍ମରେ ଧୂମ ମଚାଉଛନ୍ତି । ମନୋଜଙ୍କ ଅଭିନୀତ ପ୍ରତିଟି ୱେବ ସିରିଜକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ୧୯୯୩ରୁ ବଲିଉଡ ଫିଲ୍ମ ଜଗତରେ କାମ କରି ଆସୁଛନ୍ତି ମନୋଜ । ବେଶ କିଛି ଦିନ ବଲିଉଡରେ କାମ କରିବା ପରେ ଏବେ ଓଟିଟି ପ୍ଲାଟଫର୍ମକୁ ଫୋକସ କରିଛନ୍ତି ମନୋଜ ।