ମନୋଜଙ୍କ ଉପରେ ମୋହନଙ୍କ ଆସ୍ଥା । ମନୋଜ ଆହୁଜା ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

167

କନକ ବ୍ୟୁରୋ: ନୂଆ ସରକାର ନୂଆ ଢଙ୍ଗରେ ରାଜ୍ୟ ଶାସନ ଚଳାଇବାର ସଙ୍କେତ ଦେଇଛନ୍ତି । ପୂର୍ବ ସରକାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢାଇଥିଲେ । ହେଲେ ମୋହନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଶାସନ ଚଳାଇବା ପାଇଁ ମନୋଜ ଆହୁଜାଙ୍କ ଉପରେ ଆସ୍ଥା ରଖିଛନ୍ତି ।

  • ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ
  • ଆଉ ବଢ଼ିଲାନି ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ମୋହନ ସରକାର କାହାକୁ ମୁଖ୍ୟ ଶାସନ ସଚିବ କରିବେ, ସେ ନେଇ କିଛି ଦିନ ହେଲା ବେଶ ଚର୍ଚ୍ଚା ହେଉଥିଲା । ଏମିତି କି ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିବ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । ହେଲେ ଏହିସବୁ ଚର୍ଚ୍ଚାର ଅବସାନ ଘଟାଇ ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କ ଉପରେ ଆସ୍ଥା ଦେଖାଇଛନ୍ତି ନୂଆ ସରକାର ।

  • କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ ଓଡ଼ିଶା କ୍ୟାଡର ଆଇଏଏସ ମନୋଜ ଆହୁଜା
  • ଫେରାଇ ଆଣିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର

କେନ୍ଦ୍ର କ୍ୟାବିନେଟ କମିଟି ଅନୁମତି ପରେ ନିକଟରେ ଓଡ଼ିଶାକୁ ଫେରି ଆସିଥିଲେ ମନୋଜ । ଯାହାକୁ ନେଇ ରାଜ୍ୟରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା ।

  • ଜୁନ ୩୦ ତାରିଖରେ ସରୁଛି ପ୍ରଦୀପଙ୍କ କାର୍ଯ୍ୟକାଳ
  • ମନୋଜ ହେବେ ମୁଖ୍ୟ ଶାସନ ସଚିବ
  • ସମ୍ଭାଳିବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ
  • ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ରହିବେ ମନୋଜ
  • ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର

ସୂଚନାଯୋଗ୍ୟ ଯେ, ମନୋଜ ଆହୁଜା ହେଉଛନ୍ତି ୧୯୯୦ କ୍ୟାଡର ଆଇଏଏସ୍ ଅଧିକାରୀ । ସେ ଖୋର୍ଦ୍ଧାର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୦ ମସିହାରେ ଖଣି ଓ ଇସ୍ପାତ ବିଭାଗର ସଚିବ, ୨୦୧୨ ଯୁବ ଓ କ୍ରୀଡ଼ା ସଚିବ, ୨୦୧୫ରେ ସମବାୟ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ୨୦୧୭ ଡିସେମ୍ବରରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଏହାପରେ ସିବିଏସଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏମିତି କି, ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ବିଭିନ୍ନ ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ମନୋଜ ଆହୁଜାଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ମନୋଜଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ପ୍ରଦୀପ ଜେନା ଜୁନ ୩୦ ତାରିଖରେ ଅବସର ନେଉଛନ୍ତି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।