କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ନବରଙ୍ଗପୁର ରାଜନୀତି । ଶାସକ ଓ ବିରୋଧୀଙ୍କ ଛକା ପଞ୍ଝାରେ ସରଗରମ ନିର୍ବାଚନ ମାହୋଲ । ସାଂସଦ ରମେଶ ମାଝୀଙ୍କ ପରେ ନିଜ ଗଡରେ ଘୋର ବିରୋଧରେ ସମ୍ମୁଖୀନ ହୋଇଛନ୍ତି ବିଧାୟକ ମନୋହର ରନ୍ଧାରୀ । ଶାଢ଼ୀ ଓ ଲୁଗାପଟା ବାନ୍ଧିବାକୁ ଯିବାବେଳେ ତାଙ୍କୁ ଅଟକ ରଖିଥିଲେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା । ତା ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳର ନେତା ।
ନିର୍ବାଚନକୁ ଅବାଧ, ଚାପ ମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗ ଜୋର ଦେଉଥିବାବେଳେ ଏ ହେଉଛି ନିଷ୍ଠୁର ସତ । ନିର୍ବାଚନ ପାଇଁ ଥିବା କଟକଣାର କେମିତି ଧଜ୍ଜିିଆ ଉଡାଯାଇପାରେ ନବରଙ୍ଗପୁର ପାପଡାହାଣ୍ଡିରୁ ଆସିଥିବା ଦୃଶ୍ୟ ତାହା ବୟାନ କରୁଛି । ଗାଡି ଭିତରେ ଭର୍ତ୍ତି ହୋଇଛି ବହୁ ସଂଖ୍ୟାରେ ଶାଢ଼ୀ, ଲୁଙ୍ଗି ଓ ତଉଲିଆ । ଗାଡିରେ ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀଙ୍କ ବି ଅଛନ୍ତି । ନିର୍ବାଚନ ସମୟରେ ବିଧାୟକ ପ୍ରଚାର ପାଇଁ ଯାଉଥିବାବେଳ ଏତେ ପରିମାଣର ଲୁଗାପଟା ନେଇ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଶାଢ଼ୀ ବାଣ୍ଟିବାକୁ ଯାଇ ହଟହଟା ବିଧାୟକ
ବିଧାୟକ ପାପଡାହାଣ୍ଡି ବ୍ଲକ୍ ଜୋନ୍ ୨ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାନୁମତି ପୂଜାରୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ କିନ୍ତୁ ପ୍ରଚାର ସମୟରେ ଲୋକଙ୍କୁ ବିଧାୟକ ଶାଢ଼ୀ ବାଣ୍ଟିବା ଖବର ପାଇ ତାଙ୍କୁ ବାଟରେ ଅଟକାଇଥିଲେ କଂଗ୍ରେସ ନେତା ଓ କର୍ମୀ । ଗାଡିକୁ ଅଟକାଇବା ପରେ ସ୍ଥାନୀୟ ପୁଲିସ ପହଁଚି ଗାଡିକୁ ଥାନାକୁ ନେବା ସହ ଜବତ କରିଛି । ଗାଡିରୁ ୨୮୪ ଶାଢ଼ୀ ୫ ଶହ ତଉଲିଆ ୧୬୨ ଉତ୍ତରୀୟ ୧୫୮ ଟର୍କିସ ଜବତ ହୋଇଥିବା ସୂଚନା ମିଳିଛି ।
ବିଧାୟକଙ୍କ ଗାଡିରୁ ଏତେ ପରିମାଣର ଲୁଗାପଟା ଜବତ ହେବା ପରେ ତାଙ୍କ ଗିରଫ ଦାବି କରିଛନ୍ତି ପୂର୍ବତନ ବିଧାୟକ ଭୂଜବଳ ମାଝୀ । ଏଥିସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ହାରିଯିବା ଭୟରେ କଂଗ୍ରେସ ଏଭଳି ଅଭିଯୋଗ ଆଣିଥିବା କହିଛନ୍ତିି ବିଧାୟକ ଏବଂ ତାଙ୍କ ଗାଡିରେ ସବୁବେଳେ ଲୁଗାପଟା ଥାଏ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ପାପଡାହାଣ୍ଡି ୨ ନମ୍ବର ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା ମାଝୀ ।
Follow Us