ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ବିଜେପିରେ ଚାଲିଛି ନୂଆ ନେତା ଖୋଜା, ସଙ୍କଟରେ ସରକାର

ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା କଂଗ୍ରେସ

142

କନକ ବ୍ୟୁରୋ: ଗୋଆରେ ପାରିକର ଅସୁସ୍ଥ, ସଂକଟରେ ସରକାର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍୍ୟାବସ୍ଥା ଗୁରୁତର ବୋଲି ଜଣାପଡିଛି । ଧୀରେ ଧୀରେ ତାଙ୍କର ଅବସ୍ଥା ଅତି ବିଗୁଡୁଥିବା ସୂଚନା ମିଳିଛି । ପାରିକରଙ୍କ ଏପରି ଅବସ୍ଥା ଏବେ ବିଜେପି କେନ୍ଦ୍ରୀୟ ନେତାଙ୍କ ଚିନ୍ତା ବଢାଇ ଦେଲାଣି । କାରଣ ପାରିକରଙ୍କ ଅସୁସ୍ଥତା ବଢିବା ସହିତ ଗୋଆ ସରକାରରେ ସଂକଟ ବି ଦେଖା ଦେଇଛି । ଗୋଆରେ ପାରିକରଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ ।

ଆଜି ଏନେଇ ଗୋଆର ବିଧାୟକଙ୍କ ସହିତ କଥା ହୋଇ କିଛି ନିଷ୍ପତି ଗ୍ରହଣ କରାଯିବ ବୋଲି ଗୋଆ ବିଜେପି ପକ୍ଷରୁ କୁହାଯାଇଛି । ତେବେ ଏନେଇ ଗୋଆ ବିଜେପି ତାର ସହଯୋଗୀ ଦଳ ମହାରାଷ୍ଟ୍ରୱାଡି ଗୋମଟକ୍ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ତିନି ସ୍ୱାଧୀନ ବିଧାୟକଙ୍କ ସହ ଆଲୋଚନା କରିବ । ସେପଟେ ଏପରି ଜଟିଳ ସ୍ଥିତିରେ ଗୋଆରେ ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି କଂଗ୍ରେସ ।

ଶନିବାର ଗୋଆ ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖି , ପାରିକର ସରକାର ପାଖରେ ବହୁମତ ନଥିବା ଜଣାଇଛି । ଗୋଆରେ କଂଗ୍ରେସ ନିକଟରେ ୧୪ ସଂଖ୍ୟା ରହିଛି । ମାପୁସାର ବିଧାୟକ ଫ୍ରାନସିସ୍ ଡିସଓଜାଙ୍କ ନିଧନ ପରେ ବିଜେପିର ସଂଖ୍ୟା ୧୩କୁ ଖସିଆସିଛି । ତେବେ ସ୍ୱାଧୀନ ଓ ଅନ୍ୟ ଦଳ ସହିତ ମିଶି ସରକାର ଗଠନ କରିଛି ବିଜେପି ।