ଆଉ କିଛି ସମୟ ପରେ ଜେଲରୁ ମୁକୁଳିବେ ଆରୟନ ଖାନ : ପୁଅକୁ ଆଣିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି ଶାହରୁଖ ଖାନ୍

ସକାଳ ସାଢେ ୫ଟାରେ ଖୋଲାଗଲା ବେଲ ବକ୍ସ ; ଗୁରୁବାର ୧ ଲକ୍ଷ ଟଙ୍କା ବେଲ ବଣ୍ଡ ସହ ସର୍ତମୂଳକ ଜାମିନ ଦେଇଥିଲେ ବମ୍ବେ ହାଇକୋର୍ଟ

78

କନକ ବ୍ୟୁରୋ : ଆଜି ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ବାହାରିବେ ଆରୟନ ଖାନ୍ । ସକାଳ ୧୦ଟାରେ ସେ ଜେଲରୁ ବାହାରିବେ । ଏଥିପାଇଁ ବାପା ଶାହାରୁଖ ଖାନ୍ ଏବେ ଆର୍ଥର ରୋଡ୍ ଜେଲ ମୁହାଁ ହୋଇଛନ୍ତି । ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ୍ ଜେଲରେ ବେଲ ବକ୍ସ ଖୋଲା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜେଲେ ବାହାରେ ବାରିକେଡ ବ୍ୟବସ୍ଥା କରାଯାଇଛି । ଶାହାରୁଖ ଖାନଙ୍କ ବାସଭବନ ମନ୍ନତ ଆଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗୁରୁବାର ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଗତକାଲି କୋର୍ଟରୁ ଜାମିନ ଅର୍ଡର ଜାରି ପରେ ଜେଲରେ ଅନ୍ୟାନ୍ୟ କାମରେ ବିଳମ୍ବ ହେବାରୁ ଆରୟନ ଖାନ୍ ଜେଲରୁ ବାହାରି ପାରିନଥିଲେ । ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ କରିଛନ୍ତି । ଯଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ଓ ପାସପୋର୍ଟ ଜମା କରିଛନ୍ତି । ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆରୟନ ।

ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରହ୍ନ ୨ଟା ଭିତରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ଉପସ୍ଥିତ ରହିବେ ଆରୟନ । ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଯୋଗାଯୋଗ କରିବେ ନାହିଁ । କୌଣସି ପ୍ରମାଣ ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ । ଏହା ସହ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ ଆରୟନ । କୋର୍ଟରୁ ଦିଆଯାଇଥିବା ସମସ୍ତ ତାରିଖରେ ସେ ଉପସ୍ଥିତ ରହିବେ । ତଦନ୍ତରେ ସହଯୋଗ କରିବା ପାଇଁ ଏନସିବି ଅଧିକାରୀଙ୍କ ଡାକରାରେ ତାଙ୍କୁ ପହଂଚିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।