କନକ ବ୍ୟୁରୋ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ଆକ୍ସନକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦୁର୍ନୀତିରେ ରୋକ ଲଗାଇବାକୁ ବଡ ପଦକ୍ଷେପ ନେଇଛନ୍ତି ଭଗୱନ୍ତ । ଭଗତ ସିଂଙ୍କ ଜନ୍ମଦିନ ଅଥାର୍ତ ସହିଦ ଦିବସରେ ପଞ୍ଜାବବାସୀଙ୍କ ପାଇଁ ଦୁର୍ନୀତି ନିବାରଣ ହେଲ୍ପଲାଇନ ଜାରି କରିବେ ଭଗୱନ୍ତ ମାନ୍ । ଯେଉଁ ହ୍ୱାଟସଆପ୍ ନମ୍ବରରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କରିପାରିବେ ଲୋକେ । ଭଗୱନ୍ତ ଟ୍ୱିଟ କରି କହିଛନ୍ତି, ଏହି ହେଲ୍ପଲାଇନରେ ଦିଆଯିବାକୁ ଥିବା ନମ୍ବର ମୋର ବ୍ୟକ୍ତିଗତ ନମ୍ବର । ଯଦି ଆପଣଙ୍କୁ କେହି ଲାଞ୍ଚ ମାଗୁଥାନ୍ତି ତେବେ ଏହାର ଅଡିଓ ଓ ଭିଡିଓ ରେକର୍ଡିଂ କରି ମୋତେ ପଠାଇପାରିବେ । ଆଉ ଏହା ଦେଖିବା ପରେ ଦୁର୍ନୀତିଖୋର ବାବୁ ଓ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭଗୱନ୍ତ ମାନ୍ କହିଛନ୍ତି, ୨୩ ମାର୍ଚ୍ଚରେ ଏହି ହେଲ୍ପଲାଇନ ନମ୍ବର ଜାରି କରାଯିବ । ଏବେ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକ ସଚ୍ଚୋଟ ଥିବା ବେଳେ ମାତ୍ର ୧ ପ୍ରତିଶତ ଦୁର୍ନୀତିଖୋର ବାବୁଙ୍କ ପାଇଁ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡା ହେଉଛି । କିନ୍ତୁ ମୁଁ ସବୁବେଳେ ସଚ୍ଚୋଟ ଅଫିସରଙ୍କ ସହ ରହିଛି । କିନ୍ତୁ ଦୁର୍ନୀତି କରୁଥିବାର ପ୍ରମାଣ ମିଳିଲେ କାହାକୁ ବି ଛଡାଯିବନି । ଏବେ ପଞ୍ଜାବରେ ଦାଦାଗିରି ଓ ଚାନ୍ଦା ଆଦାୟ ବନ୍ଦ ହେବ । ଏବେ ପଞ୍ଜାବର କୌଣସି ନେତା ଅଫିସରଙ୍କୁ ଚାନ୍ଦା ମାଗି ହଇରାଣ କରିବେ ନାହିଁ ।
ଏହାପୂର୍ବରୁ ଗତକାଲି ଅଥାର୍ତ ବୁଧବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାନ୍ । ପଞ୍ଜାବର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ଭଗୱନ୍ତ । ୧୧୭ ଆସନ ବିଶିଷ୍ଠ ପଂଜାବ ବିଧାନସଭା ନିର୍ବାଚନରେ ଆପ ଏକାକୀ ୯୨ ଆସନ ଅକ୍ତିଆର କରିଥିଲା । ଆଉ ଏହି ବିଜୟ ସହ ଦଳ ସରକାର ଗଢିଛି । ନିର୍ବାଚନ ପୂର୍ବରୁ ଆପର ରାଷ୍ଟ୍ରୀୟ ସଂଯୋଜକ ଭଗବନ୍ତ ମାନଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଛିଡା କରିଥିଲେ । ଏବେ କେଜ୍ରିୱାଲଙ୍କ ନିଷ୍ପତି ସଠିକ ପ୍ରମାଣିତ ହେବା ସହ ପଂଜାବରେ ନୂଆ ସରକାର ଗଠନ କରିଛି ଆମ ଆଦମୀ ପାର୍ଟି ।