ହସ୍ପିଟାଲରେ ମନମୋହନ ସିଂହଙ୍କ ଫଟୋ ଉଠାଇବାକୁ ନେଇ ବଢୁଛି ବିବାଦ । ଝିଅ କହିଲେ, ଚିଡିଆଖାନାର ଜୀବ ନୁହନ୍ତି ମୋ ବାପା

288

କନକ ବ୍ୟୁରୋ : ହସ୍ପିଟାଲ ବେଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଫଟୋକୁ ନେଇ ବିବାଦ ବଢିବାରେ ଲାଗିଛି । ମନମୋହନ ସିଂହ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତି ହୋଇଥିବାବେଳେ, କାହିଁକି ତାଙ୍କ ଫଟୋ ଉଠାଗଲା ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନମୋହନ ସିଂହଙ୍କ ଝିଅ ଦମନ ସିଂହ ।
କ୍ଷୋଭର ସହ କହିଛନ୍ତି, ତାଙ୍କ ଅଭିଭାବକ ଚିଡିଆଖାନାର ଜୀବ ନୁହନ୍ତି ଯେ, ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ବିଜ୍ଞାପିତ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଦିଲ୍ଲୀ ଏମ୍ସରେ ମନମୋହନ ସିଂହଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଏତିକିବେଳେ ମନମୋହନ ହସ୍ପିଟାଲ ବେଡରେ ଅସୁସ୍ଥ ଅବସ୍ଥାରେ ଶୋଇ ରହିଥିବାବେଳେ ବେଡ୍ ପାଖରେ ପତ୍ନୀ ଗୁରସରଣ କୌର ଛିଡା ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ପତ୍ନୀଙ୍କ ସହ କଥାବାର୍ତା କରୁଥିବାବେଳେ ସାଙ୍ଗରେ ନେଇଥିବା ଫଟୋଗ୍ରାଫର ଏହାକୁ କ୍ୟାମେରାରେ କଏଦ କରିଥିଲେ । ସେହିପରି ଅନ୍ୟଏକ ଫଟୋରେ ମନମୋହନଙ୍କ ବେଡ ନିକଟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଛିଡା ହୋଇଥିବା ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ଛାଡିବା ପରେ ବିବାଦ ତେଜିଛି । କାରଣ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରିଛନ୍ତି ମନମୋହନଙ୍କ ପରିବାର । ଏପରିକି ପତ୍ନୀ ଗୁରୁସରଣ ମଧ୍ୟ ଫଟୋଗ୍ରାଫରଙ୍କୁ ବାରଣ କରିଥିଲେ ବୋଲି କହିଛନ୍ତି ତାଙ୍କ ଝିଅ ।