ଆଜି ଶେଷ ହେଉଛି ମନମୋହନ ସିଂହଙ୍କ ୩୩ ବର୍ଷର ସଂସଦୀୟ ଇଂନିସ୍ । ୫୪ ସାଂସଦ ସମେତ ୯ କେନ୍ଦ୍ରମନ୍ତ୍ରୀଙ୍କ ସରୁଛି କାର୍ଯ୍ୟକାଳ

235

କନକ ବ୍ୟୁରୋ: ଆଜି ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୩୩ ବର୍ଷର ସଂସଦୀୟ ଇଂନିସ୍ । ମଙ୍ଗଳବାର ଓ ଆଜିକୁ ମିଶାଇ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା ବେଳେ ଆଜି ଆଉ ୫ ଜଣ ଅବସର ଗ୍ରହଣ କରିବେ । ଏହି ତାଲିକାରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହ ରାଜ୍ୟସଭାରେ ତାଙ୍କର ୩୩ ବର୍ଷର ସଂସଦୀୟ ଇନିଂସ ଶେଷ କରିଥିବା ବେଳେ ଦଳର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାରେ ପ୍ରବେଶ କରିବେ ।

ଅର୍ଥନୀତିରେ ଅନେକ ସାହାସିକ ସଂସ୍କାର ଆଣିଥିବା ସିଂହ ୧୯୯୧ ଅକ୍ଟୋବରରେ ପ୍ରଥମ ଥର ପାଇଁ ଗୃହର ସଦସ୍ୟ ହୋଇଥିଲେ । ସେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଏବଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ୯୧ ବର୍ଷୀୟ ସିଂହଙ୍କ କାର୍ଯ୍ୟକାଳ ଆଜି ଅର୍ଥାତ ଏପ୍ରିଲ ୩ରେ ଶେଷ ହେବା ପରେ ଖାଲି ହେବାକୁ ଥିବା ଏହି ଆସନ ପୂରଣ କରି ସୋନିଆ ଗାନ୍ଧୀ ରାଜସ୍ଥାନରୁ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରିବେ । ସେପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ରାଜ୍ୟସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ଧର୍ମେନ୍ଦ୍ର୍ର ପ୍ରଧାନ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେ ଏଥର ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଅବସର ଗ୍ରହଣ କରିଥିବା ରାଜ୍ୟସଭା ସାଂସଦ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।