ଜ୍ୱରରେ ଆକ୍ରାନ୍ତ ହୋଇ ଗତରାତିରେ ଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍ ମନମୋହନ ସିଂହଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଡକ୍ଟର୍ ମନମୋହନ ସିଂହଜୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
ଗତ ମାସରେ ୮୯ ବର୍ଷରେ ପଦାର୍ପଣ କରିଥିବା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ଲାଗି ଆଜି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା ‘ଏମ୍ସ୍’ ଯାଇଥିଲେ। ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନୂଆଦିଲ୍ଲୀସ୍ଥିତ ‘ଏମ୍ସ୍’ରେ ସାକ୍ଷାତ୍ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିଲି। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ବୁଧବାର ବିଳମ୍ବିତ ରାତ୍ରୀରେ ଜାରି ହୋଇଥିବା ବୁଲେଟିନ୍ରେ ଡାକ୍ତରମାନେ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍ ମାସରେ ସେ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇ ‘ଏମ୍ସ୍’ରେ ଭର୍ତ୍ତି ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଖ୍ୟାତନାମା ଅର୍ଥନୀତିଜ୍ଞ ଡକ୍ଟର୍ ମନମୋହନ ସିଂହ ୧୯୯୧ ଆର୍ଥିକ ସଂସ୍କାରର ପୁରୋଧା ଥିଲେ। ସମଗ୍ର କ୍ୟାରିୟର୍ରେ ଡକ୍ଟର୍ ସିଂହ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ଅଣରାଜନୈତିକ ପଦବୀ ମଣ୍ଡନ କରିଥିଲେ। ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ସେ ଯୋଜନା କମିସନ୍ର ଉପାଧ୍ୟକ୍ଷ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/untitled-design-100-1040516-1634190765.jpg)