କେନ୍ଦ୍ର ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଟାର୍ଗେଟ: କହିଲେ, ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ ଦେଶର ଅର୍ଥନୀତି ହୋଇଛି ବାଟବଣା; ଭିଡିଓ ଟ୍ୱିଟ କଲା ଏଆଇସିସି

282

କନକ ବ୍ୟୁରୋ: ଦେଶର ଅର୍ଥନୀତିକୁ ନେଇ ମୋଦି ସରକାର ଉପରେ କଂଗ୍ରେସର ବଡ ଆକ୍ରମଣ । ମୋଦି ସରକାରକୁ ନିଶାନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ମନମୋହନ କହିଛନ୍ତି ମୋଦି ସରକାର ଦେଶରେ ଲାଗୁ କରିଥିବା ନୋଟ୍ ବନ୍ଦୀ ଓ ଜିଏସଟି ପାଇଁ ଆଜି ଦେଶର ଅର୍ଥନୀତି ବାଟବଣା ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଦେଶର ଅର୍ଥନୀତିର ମାନ୍ଦାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି । ମନମୋହନଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ଏହାର ଟୁଇଟର ପେଜରେ ଅପଲୋଡ କରିଛି ।

ଭିଡିଓରେ ମନମୋହନ କହିଛନ୍ତି ଦେଶର ଜିଡିପି ୫ ପ୍ରତିଶତକୁ ଖସି ଆସିବା ହିଁ ପ୍ରମାଣ କରୁଛି , ଦେଶର ଅର୍ଥନୀତି ଦୀର୍ଘ କାଳୀନ ମାନ୍ଦାବସ୍ଥା ଭିତରେ ଛନ୍ଦି ହୋଇଯାଇଛି । ତେବେ ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢାଇବାକୁ ଦେଶ ନିକଟରେ କ୍ଷମତା ରହିଛି । କିନ୍ତୁ ଅର୍ଥନୀତିକୁ ନେଇ ମୋଦି ସରକାରଙ୍କ ଭୁଲ୍ ବ୍ୟବସ୍ଥା ସବୁ ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଆଡକୁ ଟାଣିନେଇଛି । ଗତ ୩ ମାସରେ ଦେଶର ଅର୍ଥନୀତିର ଜିଡିପି ମାତ୍ର ୫ ପ୍ରତିଶତ ରହିବା ଚିନ୍ତା ଜନକ ବୋଲି କହିଛନ୍ତି ମନମୋହନ ।

ମାନୁଫାକ୍ଟରିଂ ସେକ୍ଟର ଗ୍ରୋଥ୍ ଗତ ୩ ମାସରେ ମାତ୍ର ୦.୬ ପ୍ରତିଶତ ରହିଛି । ଯାହାକି ଚିନ୍ତାଜନକ ବିଷୟ । ଦେଶର ରାଜସ୍ୱ କର ଆଦାୟ ବି ସବୁଠାରୁ କମ୍୍ ରହିଛି । ନିବେଶକଙ୍କ ମଧ୍ୟରେ ପ୍ରବଳ ଉଦାସୀନତା ଦେଖାଦେଇଛି, ଏହା ଅର୍ଥନୀତିରେ ସୁଧାରର ଭିତିଭୂମି ନୁହଁ । ମନମୋହନ ସିଂ ଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ଏହାର ଟୁଇଟର ପେଜରେ ସ୍ଥାନ ଦେଇ ମୋଦି ସରକାରକୁ ଦୁର୍ବଳ ଅର୍ଥନୀତି ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି ବିରୋଧୀ ଦଳ ।