ମାଗଣା ବିଜୁଳିକୁ ନେଇ ବିଜେଡିକୁ କାଉଣ୍ଟର କଲେ ମନମୋହନ । କହିଲେ ବିଜେପିର ସଂକଳ୍ପପତ୍ରକୁ ଠିକ୍ ଢଙ୍ଗରେ ପଢିନି ବିଜେଡି, ମୋଦୀ ଯାହା କୁହନ୍ତି ତାହା କରନ୍ତି ।

1,845

କନକ ବ୍ୟୁରୋ : ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ବିଲ୍ ନିର୍ବାଚନ ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ବିଜେପିକୁ ବିଜେଡି ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛି ବିଜେପି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ସଂକଳ୍ପପତ୍ରକୁ ବୋଧହୁଏ ଠିକ୍ ଢଙ୍ଗରେ ପଢିନି ବିଜେଡି । ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟର ଅଭିଭାଷଣ ଶେଷ ହୋଇଛି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା ପରେ ବଳକା ବିଜୁଳିକୁ ସରକାରଙ୍କୁ ବିକିପାରିବେ ହିତାଧିକାରୀ । କେନ୍ଦ୍ର ବଜେଟ ଆସିବା ପରେ ଏହି ଯୋଜନା ଆରମ୍ଭ ହେବ । ଲୋକେ ମାଗଣା ବିଜୁଳି ପାଇବା ସହ ଏହାକୁ ବିକିପାରିବେ । ମୋଦୀ ଯାହା କୁହନ୍ତି ତାହା କରନ୍ତି, ସମସ୍ତ ରାଜ୍ୟରେ ମାଗଣା ବିଜୁଳି ବ୍ୟବସ୍ଥା ଲାଗୁ କରାଯିବ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ନେଇ ବିଜେଡି ଯେଉଁ ବୟାନ ରଖିଛି ତାହାକୁ କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଗତ ୨୪ ବର୍ଷ ଭିତରେ ସରକାର କେତେ ଥର ଅଭିଯୋଗ ଶୁଣିଛନ୍ତି ତାହାର ଯାଞ୍ଚ କରନ୍ତୁ । ବିଗତ ସରକାର ବିରୋଧରେ କହିବାର ମୋର ଅଭ୍ୟାସ ନାହିଁ । କିନ୍ତୁ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା କ୍ଷଣି ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନିଷ୍ପତ୍ତିକୁ ୬ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବା ସହ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭାଉଚର, ଧାନର ଏମଏସପି ମୂଲ୍ୟ ୩୧୦୦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସରକାର । ଏହାସହ ମୁଖ୍ୟମନ୍ତ୍ରୀ ଆଜିଠାରୁ ଯେଉଁ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ସେଥିପାଇଁ ଦଳ ତରଫରୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ।