କନକ ବ୍ୟୁରୋ: ଆଜି ଶଙ୍ଖ ଧରିବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ପୁରୁଣା ଭୁବନେଶ୍ୱର ମାଉସୀ ମା ଛକରୁ ସମର୍ଥକ ମାନଙ୍କୁ ଧରି ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ବିଜେଡିରେ ମିଶିବେ ମନ୍ମଥ ।
ଦୀର୍ଘ ଦିନ ଧରି ମନ୍ମଥ କେଉଁ ଦଳକୁ ଯିବେ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ସେ ବିଜେଡି ସାମିଲ ହେଉଥିବା ଚର୍ଚ୍ଚା ହେଉଛି । କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ ମନ୍ମଥ । ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସମୟରେ କଂଗ୍ରେସରୁ ଲଢିବେନି ବୋଲି ମନା କରିଥିଲେ ମନ୍ମଥ । ଏବେ ସେ ବିଧିବଦ୍ଧ ଭାବେ ନିଜ ସମର୍ଥକ ମାନଙ୍କୁ ଧରି ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି ।
ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି କହିଛନ୍ତି ସୁର ।