କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । କଂଗ୍ରେସର ସଦସ୍ୟ ଥାଇ ମଧ୍ୟ ଦଳରେ ନଥିବା କହିଥିଲେ ସୁରଙ୍କ ପୁଅ, କାର୍ଯ୍ୟାନୁଷ୍ଠାନ ନେଲା ଦଳର ଶୃଙ୍ଖଳା କମିଟି ।

350

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଏହାର ଉତ୍ତର ନରଖିବାରୁ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସର ଶୃଙ୍ଖଳା କମିଟି ।

ଏହାପୂର୍ବରୁ ଗତକାଲି ମନ୍ମଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଧାୟକ ବାପା ସୁର ରାଉତରାୟ କହିଥିଲେ, ଦଳରେ ଶୃଙ୍ଖଳା ହିଁ ସବୁକିଛି । ଦଳରେ ଯିଏ ଶୃଙ୍ଖଳା ଭଙ୍ଗ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ମୋ ପୁଅ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ କୌଣସି ଆପତ୍ତି ନଥିବା କହିଥିଲେ ସୁର । ଏପରିକି ଦଳର ପ୍ରଭାରୀ ଯେତେବେଳେ ଏନେଇ ଆଲୋଚନା କରିଥିଲେ ସେତେବେଳେ ମଧ୍ୟ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ ସୁର ରାଉତରାୟ । ଯାହାଦ୍ୱାରା କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳର ଶୃଙ୍ଖଳା ନେଇ ଭଲ ବାର୍ତ୍ତା ଯିବ । ଦଳରେ ଶୃଙ୍ଖଳା ନିହାତି ଜରୁରୀ ବୋଲି କହିଥିଲେ ସୁର ।

ଏହାପୂର୍ବରୁ ମନ୍ମଥ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ନାହିଁ । ଏପରିକି କଂଗ୍ରେସରୁ ତାଙ୍କୁ ଲୋକେ ଦେଖିବାକୁ ପସନ୍ଦ କରୁନଥିବା ନେଇ ସର୍ଭେ ରିପୋର୍ଟ ଆସିଥିବା କହିଥିଲେ ମନ୍ମଥ । ତେଣୁ ଅଞ୍ଚଳବାସୀଙ୍କ ପାଇଁ ଯେଉଁ ଦଳ ଭଲ ହେବ ସେହି ଦଳରେ ସାମିଲ ହେବି ଏବଂ ଅକ୍ଟୋବରରେ ଚୂଡାନ୍ତ ନିଷ୍ପତ୍ତି ବୋଲି କହିଥିଲେ ମନ୍ମଥ ।