କନକ ବ୍ୟୁରୋ : ଶଙ୍ଖ ଭବନରେ ପହଞ୍ଚିଛନ୍ତି ସୁରଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ନିଜ ହଜାର ହଜାର ସମର୍ଥକଙ୍କୁ ଧରି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ପହଞ୍ଚିଛନ୍ତି ମନ୍ମଥ । ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ପହଞ୍ଚି ମନ୍ମଥ କହିଛନ୍ତି, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହେବାକୁ ଯାଉଛି । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି ।
ଅନ୍ୟପଟେ ମନ୍ମଥ ବିଜେଡି ଟିକେଟରୁ ଜଟଣୀରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ମନ୍ମଥଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ ମନ୍ମଥ । ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ଲଢିବେନି ବୋଲି ସ୍ପଷ୍ଟ ମନା କରିଥିଲେ ମନ୍ମଥ । ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି କହିଛନ୍ତି ସୁର ।